ସ୍କୁଲ ଛାତ୍ରଛାତ୍ରୀଙ୍କୁ ମିଳିବ ଟଙ୍କା
ନୂଆଦିଲ୍ଲୀ: ଦେଶରେ ୧୧.୮ କୋଟି ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ସ୍କିମର ରୋଷେଇ ଖର୍ଚ୍ଚ ବାବଦ ଟଙ୍କା ସିଧାସଳଖ ହସ୍ତାନ୍ତର କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଏହି ପ୍ରସ୍ତାବକୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ନିଶାଙ୍କ ମଞ୍ଜୁର କରିଛନ୍ତି । ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ରୋଷେଇ ଖର୍ଚ୍ଚ ଟଙ୍କା ଡାଇରେକ୍ଟ ବେନିଫିଟ ଟ୍ରାନ୍ସଫର (ଡିବିଟି) ଜରିଆରେ ଦିଆଯିବ । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ପ୍ରାୟ ୮୦ କୋଟି ହିତାଧିକାରୀଙ୍କୁ ବ୍ୟକ୍ତି ପିଛା ମାସିକ ୫ କେଜି ଖାଦ୍ୟଶସ୍ୟ ବିନା ମୂଲ୍ୟରେ ଦିଆଯାଉଛି । ଏହା ବାଦ ମଧ୍ୟାହ୍ନ ଭୋଜନ ବାବଦ ଟଙ୍କା ଦିଆଯିବ । ଏହା ଦ୍ୱାରା ପିଲାମାନଙ୍କ ପୁଷ୍ଟି ସ୍ତର ବଜାୟ ରହିବ ଓ ମହାମାରୀ ସମୟରେ ସେମାନଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢ଼ିବ ବୋଲି ଆଶା କରାଯାଉଛି । ଏଥିପାଇଁ କେନ୍ଦ୍ର ସରକାର ଦେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଅତିରିକ୍ତ ୧୨୦୦ କୋଟି ଟଙ୍କାର ପାଣ୍ଠି ପ୍ରଦାନ କରିବେ । ମାତ୍ର ଥରକ ପାଇଁ ଏହି କଲ୍ୟାଣ ମୂଳକ ସହାୟତା ପ୍ରଦାନ କରାଯିବ । ଦେଶର ୧୧.୨୦ ଲକ୍ଷଟି ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ସ୍କୁଲର ୧୧.୮ କୋଟି ଛାତ୍ରଛାତ୍ରୀ ଏହା ଦ୍ୱାରା ଉପକୃତ ହେବେ ।
Powered by Froala Editor