‘ମୋ-ଘର’ ଆବେଦନ ଆଜିଠୁ
ଭୁବନେଶ୍ୱର: ଆଜିଠୁ ରାଜ୍ୟ ସରକାରଙ୍କ ପ୍ରସ୍ତାବିତ ‘ମୋ-ଘର’ ଯୋଜନାରେ ସହାୟତା ପାଇଁ ଆରମ୍ଭ ହେବ ଆବେଦନ । ପଞ୍ଚାୟତ କାର୍ୟ୍ୟାଳୟ, ବ୍ଲକ୍ କାର୍ୟ୍ୟାଳୟ ଓ ମୋ-ସେବା କେନ୍ଦ୍ରରେ ହିତାଧିକାରୀ ପହଞ୍ଚି ଆବେଦନ କରିପାରିବେ । ଯେଉଁମାନେ ଆବେଦନ କରିିବେ, ସେମାନଙ୍କ ମଧ୍ୟରୁ ଯୋଗ୍ୟ ହିତାଧିକାରୀ ଚୟନ କରାଯିବ ।
ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ସମେତ ଅନ୍ୟାନ୍ୟ ଗୃହ ନିର୍ମାଣ ଯୋଜନାରୁ ବାଦ୍ ପଡ଼ିଥିବା ଲୋକେ ଏହି ନୂଆ ଯୋଜନାରେ ଉପକୃତ ହେବେ । ଆବେଦନକାରୀଙ୍କ ସବ୍ସିଡି ଥିବା ବ୍ୟାଙ୍କ ଋଣ ମିଳିବ । ସବ୍ସିଡି ରାଶି ସମ୍ପୂର୍ଣ୍ଣ ଭାବେ ରାଜ୍ୟ ସରକାରଙ୍କ ନିଜସ୍ୱ ପାଣ୍ଠିରୁ ପ୍ରଦାନ କରାଯିବ । ଲୋକଙ୍କ ପକ୍କା ଘର ସ୍ୱପ୍ନକୁ ସାକାର କରିବା ନେଇ ନିର୍ବାଚନୀ ବର୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ଏକ ନୂଆ ଯୋଜନା ଆଣି ବିରୋଧୀଙ୍କୁ ମାଷ୍ଟରଷ୍ଟ୍ରୋକ୍ ଦେଇଛନ୍ତି । ଋଣ ପାଇବା ପାଇଁ ପ୍ରଥମେ ୱେବସାଇଟରେ ପଞ୍ଜିକରଣ କରିବାକୁ ହେବ, ଯାହାକି ଓଟିପି ମାଧ୍ୟମରେ ବୈଧ ହେବ । ଏହି ଯୋଜନାରେ ୧ ଲକ୍ଷ, ଦେଢ଼ ଲକ୍ଷ, ୨ ଲକ୍ଷ ଓ ୩ ଲକ୍ଷ ଟଙ୍କାର ବ୍ୟାଙ୍କ ଋଣ ବ୍ୟବସ୍ଥା ରହିଛି । ଏହା ମଧ୍ୟରୁ ହିତାଧିକାରୀ କୌଣସି ଗୋଟିଏ ପ୍ରକାର ଋଣକୁ ବାଛିବେ । ୧ ଲକ୍ଷ ଟଙ୍କା ଋଣରେ ସାଧାରଣବର୍ଗଙ୍କୁ ୩୦ ହଜାର, ଦେଢ଼ ଲକ୍ଷରେ ୪୫ ହଜାର, ୨ ଲକ୍ଷରେ ୬୦ ହଜାର, ୩ ଲକ୍ଷରେ ୬୦ ହଜାର ଟଙ୍କା ସବ୍ସିଡି ଦିଆଯିବ ।
ପରିବାରର ମୁଖ୍ୟ ଅନୁସୂଚିତ ଜାତି, ଜନଜାତି, ଭିନ୍ନକ୍ଷମ ହୋଇଥିଲେ ଆଉ ୧୦ ହଜାର ଟଙ୍କା ଲେଖାଏଁ ଅଧିକ ସବ୍ସିଡି ରାଶି ମିଳିବ । ପ୍ରଥମ ବର୍ଷର ରିହାତି ଅବଧିକୁ ବାଦ୍ ଦେଇ ପରବର୍ତ୍ତୀ ୧୦ ବର୍ଷ ଭିତରେ ଋଣ ପରିଶୋଧ କରିବାକୁ ହେବ । ପ୍ରତି ସ୍ତରର ଋଣ ପାଇଁ ୧ ଲକ୍ଷ ହିତାଧିକାରୀ ଯଦି ଉପକୃତ ହୁଅନ୍ତି, ତେବେ ମୋଟ ୪ ଲକ୍ଷ ହିତାଧିକାରୀଙ୍କ ପାଇଁ ୨ ବର୍ଷ ମଧ୍ୟରେ ୨୧୫୦ କୋଟି ଟଙ୍କା ବ୍ୟୟ ଆକଳନ କରାଯାଇଛି । ବର୍ତ୍ତମାନ ଗୃହ ନିର୍ମାଣ ଯୋଜନାରେ ଥିବା କଠୋର ମାନଦଣ୍ଡ ଏବଂ ସ୍ୱଳ୍ପ ଗୃହ ମଞ୍ଜୁର ଯୋଗୁ ଅନେକ ପରିବାର ପକ୍କା ଘରରୁ ବଞ୍ଚିତ ଅଛନ୍ତି । ଏବେ ସେମାନେ ଉପକୃତ ହେବେ । ମୋ’ ଘର ଯୋଜନାରେ ନୂଆ ଘର ନିର୍ମାଣ କିମ୍ବା ଘରର ଉନ୍ନତିକରଣ ଓ ସମ୍ପ୍ରସାରଣ କରିହେବ ।
Powered by Froala Editor