ଶହେ ମିଟର ଦୂରକୁ ଘୋଷାଡି ନେଇ ଯୁବକଙ୍କୁ କଚାଡି ମାରି ଦେଲା ଦନ୍ତାହାତୀ
ପାଳଲହଡ଼ା: ପାଳଲହଡ଼ା ବନଖଣ୍ଡ ଜମରଡିହ ସର୍କଲ ପେଚାମୁଣ୍ଡି ପଞ୍ଚାୟତ ପେଚାମୁଣ୍ଡି ମୁଣ୍ଡାସାହିଠାରେ ହାତୀ ଆକ୍ରମଣରେ ଯୁବକ ମୃତ୍ୟୁ।ସୂଚନା ଅନୁଯାୟୀ,ଶୁକ୍ରବାର ସକାଳ ୩ଟା ସମୟରେ ପେଚାମୁଣ୍ଡି ମରଦଡିହ ସାହିର ପବିତ୍ର ନାଏକ ବୟସ (୩୦) ନିଜ ଅଜା ଘର ପେଚାମୁଣ୍ଡି ମୁଣ୍ଡାସାହିର ଭାଗ୍ୟ ନାଏକଙ୍କ ଘରକୁ ବୁଲିବାକୁ ଆସିଥିଲେ। ରାତି ଶୋଇଥିବା ବେଳେ ଶବ୍ଦ ଶୁଣି ବାହାରକୁ ବାହାରିଥିଲେ। ହଠାତ୍ ଘର ଆଗରେ ୫ ରୁ ୬ ଟି ହାତୀ ପଲଙ୍କ ସହିତ ମୁହାଁ-ମୁହିଁ ହେବାରୁ ଘର ଆଗରୁ ଶହେ ମିଟର ଦୂର ଜମି ମାଳକୁ ଘୋଷାଡି ନେଇ ଏକ ଦନ୍ତାହାତୀ କଚାଡି ମାରି ଦେଇଥିଲା। ଘଟଣା ସ୍ଥଳରେ ଯୁବକଙ୍କ ମୃତ୍ୟୁ ହୋଇଥିଲା। ମୃତ ବ୍ୟକ୍ତି ଜଣକର ଦୁଇଟି ସ୍ତ୍ରୀ ଓ ଗୋଟିଏ ୭ ବର୍ଷର ଝିଅ ଥିବା ଜଣାପଡିଛି। ଘଟଣାସ୍ଥଳକୁ ବନ ବିଭାଗ ବିଳମ୍ବରେ ପହଞ୍ଚିବାରୁ ଗ୍ରାମବାସୀ ପୋଲିସ ଓ ବନବିଭାଗ ଅଧିକାରୀଙ୍କ ସହିତ କିଛି ସମୟ ଯୁକ୍ତି ତର୍କ ହୋଇ ଚାପା ଉତ୍ତେଜନା ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି।ବନବିଭାଗ ତରଫରୁ ୬ ଲକ୍ଷ ଟଙ୍କା ସହାୟତା ରାଶି, ଶୁଦ୍ଧିକ୍ରିୟା ପାଇଁ ଅଗ୍ରୀମ ୪୦ ହଜାର ଟଙ୍କା ଓ ପରିବାରର ଜଣକୁ ଠିକା ଭିତିକ ଚାକିରୀ ଦେବାପାଇଁ ପ୍ରତିଶୃତି ଦେଇଥିଲେ। ବନବିଭାଗଙ୍କ ପକ୍ଷରୁ କ୍ଷତିପୂରଣ ପ୍ରତିଶ୍ରୁତି ପାଇବା ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା।
Powered by Froala Editor