ମଣିପୁରରେ ହିଂସାକାଣ୍ଡ; ୯ ମୃତ
ଇମ୍ଫାଲ୍: ମଙ୍ଗଳବାର ରାତିରେ ମଣିପୁର ଅନ୍ତର୍ଗତ ପୂର୍ବ ଇମ୍ଫାଲ୍ ଓ କାଙ୍ଗପୋକ୍ପି ଜିଲ୍ଲା ସୀମାନ୍ତରେ ଅବସ୍ଥିତ ଅଗିଜାନ୍ ଗାଁ’ରେ ସାନି ହିଂସାକାଣ୍ଡ ଘଟି ଅନ୍ୟୂନ ୯ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ୧୦ଜଣ ଆହତ ହୋଇଥିବା କଥା ଆଜି ପୁଲିସ କହିଛି।
ରାତି ୧୦ଟାରୁ ୧୦.୩୦ ମଧ୍ୟରେ ଦଳେ ସଶସ୍ତ୍ର ଆକ୍ରମଣକାରୀ ଆସି ଗାଁ ଚାରିପଟେ ଘେରିଯାଇ ଆକ୍ରମଣ କରିଥିଲେ ବୋଲି ପୁଲିସ କହିଛି। ସେମାନଙ୍କୁ ପ୍ରତିଆକ୍ରମଣ କରିବା ପାଇଁ ତୁରନ୍ତ ନିରାପତ୍ତା ବଳ ସେ ଅଞ୍ଚଳରେ ପହଞ୍ଚିଯିବା ପରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା।
ମୃତ ବ୍ୟକ୍ତିମାନଙ୍କ ମଧ୍ୟରେ ଜଣେ ମହିଳା ଥିବା କଥା ଜଣାପଡ଼ିଛି। ମୃତବ୍ୟକ୍ତିମାନଙ୍କ ମଧ୍ୟରୁ କେତେକଙ୍କ ଦେହରେ ଗୁଳିଜନିତ ଏକାଧିକ କ୍ଷତ ଏବଂ କଟା ଦାଗ ରହିଛି। ଆହତମାନଙ୍କୁ ଇମ୍ଫାଲ୍ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ଜଣକ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବା କଥା ପୂର୍ବ ଇମ୍ଫାଲ୍ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍ କେ. ଶିବକାନ୍ତ ସିଂହ କହିଛନ୍ତି। ଏବେ ସେ ଅଞ୍ଚଳର ପରିସ୍ଥିତି ନିୟନ୍ତ୍ରଣାଧୀନ ଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ଗତ ଏକ ମାସ ହେବ ମଣିପୁରୀ ଓ କୁକି ଜନଜାତି ସମ୍ପ୍ରଦାୟ ମଧ୍ୟରେ ଚାଲିଥିବା ଏହି ହିଂସାକାଣ୍ଡ ବନ୍ଦ କରାଇ ରାଜ୍ୟରେ ଶାନ୍ତି ଫେରାଇ ଆଣିବାକୁ ଚାଲିଥିବା ପ୍ରଚେଷ୍ଟା ପ୍ରତି ଗତ ରାତିର ଘଟଣା ପୁଣି ଅସୁବିଧା ସୃଷ୍ଟି କରିଛି।
Powered by Froala Editor