ବ୍ରେକ୍ ଫେଲ୍ ଟ୍ରକ୍ ମାଡିଗଲା, ଜଳିଗଲେ ୧୧ ଜଣ
ଉତ୍ତରପ୍ରଦେଶ ମୀର୍ଜାପୁରରେ ଭୟଙ୍କର ସଡ଼କ ଦୁର୍ଘଟଣା ହୋଇଛି । ୪ ଶିଶୁଙ୍କ ସମେତ ୧୧ ଜଣଙ୍କ ଜୀବନ ଚାଲିଯାଇଛି । ବ୍ରେକ୍ ଫେଲ୍ ହେବାରୁ ଏକାଧିକ ଗାଡି ଉପରେ ଟ୍ରକ୍ ମାଡିଯାଇଛି । ଘାଟି ରାସ୍ତାରେ ବ୍ରେକ୍ ଫେଲ୍ ହେବାରୁ ଦୁର୍ଘଟଣା ଘଟିଛି । ଆଉ ଏକ ଟ୍ରକ୍ ଓ ବୋଲେରୋ ଧକ୍କା ହୋଇ ଜଳିଯିବା ଫଳରେ ୧୧ ଜଣଙ୍କର ମୃତ୍ୟୁ ହୋଇଛି ।
ସୂଚନା ଅନୁଯାୟୀ, ଡ୍ରମଡଗଞ୍ଜ ଥାନା ଅନ୍ତର୍ଗତ ବଡ଼କା ମୋଡ଼ ନିକଟରେ ଏହି ଦୁର୍ଘଟଣା ଘଟିଛି। ଏକ ବୋଲେରୋ ଗାଡ଼ି ଢାଲୁ ରାସ୍ତାରେ ତଳକୁ ଓହ୍ଲାଉଥିବା ବେଳେ ପଛରୁ ଆସୁଥିବା ଏକ ଟ୍ରକର ବ୍ରେକ୍ ଫେଲ ହୋଇଯାଇଥିଲା। ଅନିୟନ୍ତ୍ରିତ ଟ୍ରକଟି ବୋଲେରୋକୁ ଜୋରଦାର ଧକ୍କା ଦେଇଥିଲା, ଫଳରେ ବୋଲେରୋଟି ଆଗରେ ଯାଉଥିବା ଅନ୍ୟ ଏକ ଟ୍ରକ ସହ ପିଟି ହୋଇଯାଇଥିଲା।
ଧକ୍କା ଏତେ ଭୟଙ୍କର ଥିଲା ଯେ ବୋଲେରୋଟିରେ ତୁରନ୍ତ ନିଆଁ ଲାଗିଯାଇଥିଲା । ସେଥିରେ ଥିବା ୧୧ ଜଣଙ୍କର ମୃତ୍ୟୁ ହୋଇଛି । ଯେଉଁଥିରେ ୪ ଜଣ ଶିଶୁ ଥିବା ଜଣାପଡିଛି । ଘଟଣାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୋକ ପ୍ରକାଶ କରିଛନ୍ତି । ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।ମୃତକଙ୍କ ପରିବାରକୁ ୨ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି ।
ଦୁର୍ଘଟଣାର ଭିଡିଓ ସାମ୍ନାକୁ ଆସିଛି ସେଥିରେ ବୋଲେରୋଟି ନିଆଁରେ ପୋଡ଼ିଯାଇଥିବା ଦେଖିବାକୁ ମିଳିଛି । ରାଜପଥରେ ଚିତ୍କାର, କାନ୍ଦ ବୋବାଳିରେ ଫାଟି ପଡୁଥିଲା । ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, ଧକ୍କା ପରେ ପ୍ରବଳ ଅଗ୍ନିକାଣ୍ଡ ଯୋଗୁଁ ବୋଲେରୋରେ ଥିବା ଲୋକମାନେ ବାହାରି ପାରିଲେ ନାହିଁ । ମୃତାହତଙ୍କ ସମ୍ପୂର୍ଣ୍ଣ ସଂଖ୍ୟା ଏପର୍ଯ୍ୟନ୍ତ ଜଣାପଡିନାହିଁ।
Powered by Froala Editor