ବାତ୍ୟା : ୮ ରାଜ୍ୟକୁ ସତର୍କ ସୂଚନା ଜାରି
ଅହମଦାବାଦ : ବିକଟାଳ ରୂପ ଧରି ସ୍ଥଳ ଭାଗ ଆଡକୁ ମାଡି ଆସୁଛି ବାତ୍ୟା ବିପରଯୋୟ । ଆରବ ସାଗରରେ ସୃଷ୍ଟ ସାମୁଦ୍ରିକ ଝଡ ଅତି ଭୀଷଣ ବାତ୍ୟାରେ ପରିଣତ ହୋଇ ସ୍ଥଳ ଭାଗ ମୁହାଁ ହେଉଛି । ଗୁଜରାଟର କଚ୍ଛ ଜିଲ୍ଲା ସ୍ଥିତ ଜଖୌ ବନ୍ଦର ନିକଟରେ ଗୁରୁବାର ସନ୍ଧ୍ୟାରେ ବାତ୍ୟା ଲ୍ୟାଣ୍ଡଫଲ୍ କରିବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।
ଗୁଜରାଟର ବିଭିନ୍ନ ସ୍ଥାନରେ ବର୍ଷା ସହ ପବନ ଜାରି ରହିଛି । ମାଣ୍ଡବୀ ବିଚ୍ରେ ବଡ ବଡ ଜୁଆର ମଧ୍ୟ ଦେଖିବାକୁ ମିଳିଲାଣି । ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ୮ଟି ରାଜ୍ୟକୁ ସତର୍କ ସୂଚନା ଜାରି କରାଯାଇଛି । ଜୁନ ୧୬ ତାରିଖ ଯାଏ ଗୁଜରାଟ, ରାଜସ୍ଥାନ, ମଧ୍ୟ ପ୍ରଦେଶ, କେରଳ, ତାମିଲନାଡୁ, କର୍ଣ୍ଣାଟକ, ମହାରାଷ୍ଟ୍ର ଓ ଗୋଆକୁ ବର୍ଷା ଓ ପବନ ନେଇ ସତର୍କ ସୂଚନା ଜାରି କରିଛି ଭାରତୀୟ ପାଣିପାଗ ବିଭାଗ ।
ବାତ୍ୟା ବିପରଯୋୟ ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ବଢିବା ସହିତ ୧୫୦ ଛୁଇଁପାରେ । କିଛି ସ୍ଥାନରେ ପବନର ବେଗ ୧୬୦/ ୧୭୦ ଯାଏଁ ଛୁଇଁବା ନେଇ ପୂର୍ବାନୁମାନ କରାଯାଇଛି । କଚ୍ଛ, ଦ୍ବାରକା, ପୋରବନ୍ଦର, ଜାମନଗର, ରାଜକୋଟ୍, ଜୁନାଗଡ ଏବଂ ମୋରବୀରେ ପ୍ରବଳ ବର୍ଷା ସହ ପବନ ନେଇ ସତର୍କ ସୂଚନା ଜାରି କରାଯାଇଛି ।
Powered by Froala Editor