ଆଜି ପହିଲି ରଜ, ବନସ୍ତେ ଡାକିଲା ଗଜ.....
ଭୁବନେଶ୍ୱର: ସରିଲା ସଜବାଜ, ଆଜି ପହିଲି ରଜ । ଆଉ ପହିଲି ରଜରେ ସବୁଠି ଶୁଭିବ ଗୀତ ‘ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ, ରଜ ଦୋଳି କଟମଟଟ୍ଟ’ । ଘରେ ଘରେ ମହକିବ ପିଠା । ସକାଳୁ ସକାଳୁ ଓଡ଼ିଆ ଘରର ପାରମ୍ପରିକ ପିଠା ଚକୁଳି, ଇଟିଲି, ସୁଜି କାକରା, ମଣ୍ଡା ଆଉ ପୋଡ଼ ପିଠାର ମଜା ନେବେ ସଭିଏଁ । ତା’ ସାଙ୍ଗକୁ ଓଡ଼ିଶାର ପ୍ରସିଦ୍ଧ ମିଠା ଓ ନାନାଦି ପ୍ରକାର ଖାଦ୍ୟର ବାସ୍ନା ମହକିବ ଆଉ ଭୂରି ଭୋଜନରେ ପେଟ ଥଣ୍ଡା ହେବ । ନୂଆ ପୋଷାକ ପିନ୍ଧି ଝିଅମାନେ ଦୋଳି ଖେଳିବେ ।
ନାଚଗୀତ କରିବା ସହ ରଜ ପାନ ଖାଇ ଉତ୍ସବକୁ ବେଶ୍ ଧୁମ୍ଧାମ୍ରେ ପାଳନ କରିବେ । ରଜ ଉତ୍ସବରେ ଏଥର ଧୂମ୍ ମଜା ହେବ । ଏଥିପାଇଁ ସବୁଠି ପ୍ରସ୍ତୁତି ସରିଛି । ଗଛ ଡାଳରେ ଦୋଳି ଝୁଲିସାରିଛି । ଘରେ ପିଠାପଣାର ପ୍ରସ୍ତୁତି ବି ଶେଷ ହୋଇଛି । ବୁଧବାରଠୁ ତିନି ଦିନ ଯାଏ ରାଜଧାନୀର ପୂରା ପରିବେଶ ଉତ୍ସବ ମୁଖର ହେବ । ରଜ ପୂର୍ବରୁ ଆଜି ଥିଲା ସଜବାଜ । ଝିଅମାନେ ହାତରେ ମେହେନ୍ଦୀ ଲଗାଇଥିଲେ । କିଏ ନିଜ ଘରେ ମେହେନ୍ଦୀ କରିଥିଲେ ତ କିଏ ବିୟୁଟି ପାର୍ଲରକୁ ଯାଇ ମେହେନ୍ଦୀ କରିଥିଲେ । ମାର୍କେଟ୍ ବିଲ୍ଡିଂରେ ବିଭିନ୍ନ ମେହେନ୍ଦୀ ଆର୍ଟିଷ୍ଟଙ୍କ ପାଖରେ ଭିଡ଼ ଲାଗିଥିଲା । ସନ୍ଧ୍ୟା ପର୍ୟ୍ୟନ୍ତ ଏ ଭିଡ଼ ଜମିଥିଲା ।
ଅନେକ ନୂଆ ପୋଷାକ କିଣିବାରେ ବ୍ୟସ୍ତ ଥିଲେ । ସେଥିପାଇଁ ୧ନମ୍ବର ମାର୍କେଟ୍ ସମେତ ମାର୍କେଟ୍ ବିଲ୍ଡିଂ ଏବଂ ବଡ଼ ବଡ଼ ଦୋକାନ ଓ ମଲ୍ରେ ପାଗ ଭଲ ଥିବାରୁ ସାଂଘାତିକ ଭିଡ଼ ହୋଇଥିଲା । ବୁଧବାର ସକାଳେ ସମସ୍ତେ ନୂଆ ପୋଷାକ ପିନ୍ଧି ରଜ ଉତ୍ସବ ମନାଇବେ ।
Powered by Froala Editor