ଆଉ ହିତାଧିକାରୀ ଭୋଗିବେ ନାହିଁ କଷ୍ଟ,ଏଣିକି ଘର ଦୁଆରେ ପ୍ରଦାନ କରାଯିବ ଭତ୍ତା ଟଙ୍କା
ଭୁବନେଶ୍ୱର: ମାସିକ ଭତ୍ତା ପାଇବା ପାଇଁ ଆଉ ବୃଦ୍ଧ/ବୃଦ୍ଧା କିମ୍ବା ଅସୁସ୍ଥ, ଦିବ୍ୟାଙ୍ଗ କଷ୍ଟ ଭୋଗିବେ ନାହିଁ। ଖରାତରାରେ ଚାଲି ଚାଲି ସରକାରୀ କାର୍ୟ୍ୟାଳୟ ପର୍ୟ୍ୟନ୍ତ ଯିବାର ଆବଶ୍ୟକତା ନାହିଁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣାକ୍ରମେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦୁଆରେ ଭତ୍ତା ପହଞ୍ଚାଇବା ଲାଗି ଆରମ୍ଭ କରିଛି ସବୁଠାରୁ ବଡ଼ ଅଭିଯାନ। ଚଳିତ ମାସ ୧୫ ତାରିଖରୁ ନଗଦ ଭତ୍ତା ଟଙ୍କା ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇ ଥିଲେ ସୁଦ୍ଧା ଏହା ପୂର୍ବରୁ ହିତାଧିକାରୀଙ୍କ ଘରେ ଭତ୍ତା ଟଙ୍କା ପହଞ୍ଚାଇବା ଆରମ୍ଭ ହୋଇଛି। କେବଳ ଏସ୍ଏସ୍ଇପିଡି ବିଭାଗ ନୁହେଁ, ପଞ୍ଚାୟତ କାର୍ୟ୍ୟାଳୟ, ବ୍ୟାଙ୍କ କର୍ତ୍ତୃପକ୍ଷ ଏଥିରେ ସହଯୋଗ କରୁଛନ୍ତି। ସାମାଜିକ ସୁରକ୍ଷା ଭତ୍ତା ପ୍ରଦାନରେ ଏହା ବଡ଼ ରୂପାନ୍ତରଣ ବୋଲି କୁହାଯାଉଛି।
ମଧୁବାବୁ ପେନସନ୍ ଯୋଜନା (ଏମ୍ବିପିୱାଇ)ର ୨୮ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ବ୍ୟାଙ୍କ ଆକାଉଣ୍ଟରେ ଅବା ଡିବିଟି ମାଧ୍ୟମରେ ପେନସନ୍ ପ୍ରଦାନ କରାଯାଉଥିଲା। ତେବେ ବହୁ ହିତାଧିକାରୀ ବ୍ୟାଙ୍କରୁ ଏହି ଅର୍ଥ ଉଠାଇବାରେ ଅସମର୍ଥ ହେଉଥିଲେ। ବୈଷୟିକ ସମସ୍ୟା ପାଇଁ କିଛି ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଭତ୍ତା ଟଙ୍କା ପହଞ୍ଚିପାରୁ ନ ଥିଲା। ଫଳରେ କେଉଁଠି ୯୦ ବର୍ଷର ବୃଦ୍ଧା ଚାଲି ଚାଲି ଭତ୍ତା ଆଣିବା ପାଇଁ ଯାଉଥିଲେ ତ ଆଉ କେଉଁଠି ଅସୁସ୍ଥତା ହେତୁ ହିତାଧିକାରୀ ଘରୁ ଗୋଡ଼ କାଢ଼ିବା ପାଇଁ ଅସମର୍ଥ ହେଉଥିଲେ। ସେହିପରି କିଛି କ୍ଷେତ୍ରରେ ୫୦୦ ଟଙ୍କା ଭତ୍ତା ପାଇଁ ଗାଡ଼ି ଭଡ଼ା ବାବଦରେ ୧୦୦ ଟଙ୍କା ଖର୍ଚ୍ଚ କରିବାକୁ ହେଉଥିଲା। ଏହା ଏକ ସମ୍ବେଦନଶୀଳ ମାମଲା ହୋଇଥିବାରୁ ସବୁ ଦିଗରୁ ବିଚାର ବିମର୍ଷ ପରେ ନଗଦ ଆକାରରେ ଭତ୍ତା ଟଙ୍କା ପ୍ରଦାନ ପାଇଁ ସରକାର ନିଷ୍ପତ୍ତି ନେଇଥିଲେ। ପ୍ରତି ମାସରେ ୧୫ ତାରିଖରେ ଭତ୍ତା ଟଙ୍କା ପ୍ରଦାନ କରାଯିବ ଓ ପୂର୍ବ ସ୍ଥାନରେ ହିଁ ହିତାଧିକାରୀ ନିଜ ଭତ୍ତା ପାଇପାରିବେ। ତେବେ ଲକ୍ଷାଧିକ ହିତାଧିକାରୀ ଏପରି ଅଛନ୍ତି ଯେଉଁମାନେ ନଗଦ ଆକାରରେ ଭତ୍ତା ଟଙ୍କା ପାଇବା ପାଇଁ ପହଞ୍ଚି ପାରୁ ନାହାନ୍ତି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ବିଭିନ୍ନ ଜିଲ୍ଲାରେ ଧାର୍ୟ୍ୟ ସମୟ ପୂର୍ବରୁ ଦୁଆରେ ଭତ୍ତା ପହଞ୍ଚାଇବା ଆରମ୍ଭ ହୋଇଛି। ଦିବ୍ୟାଙ୍ଗ, ବୟସ୍କ ତଥା ଅସୁସ୍ଥ ହିତାଧିକାରୀଙ୍କୁ ପ୍ରାଧାନ୍ୟ ଦିଆଯାଉଛି। ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଭତ୍ତା ପହଞ୍ଚାଇବା ସୁନିଶ୍ଚିତ କରାଯାଉଛି।
ହିତାଧିକାରୀଙ୍କୁ ନଗଦ ଆକାରରେ ଏବଂ ଅସମର୍ଥ ହିତାଧିକାରୀଙ୍କ ଘରେ ଭତ୍ତା ପହଞ୍ଚାଇବା ପାଇଁ ଗତ ମାସରେ ପୂର୍ବତନ ବିଭାଗୀୟ ଶାସନ ସଚିବ ଭାସ୍କର ଜ୍ୟୋତି ଶର୍ମା ସମସ୍ତ ଜିଲ୍ଳାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ଉଦ୍ଦେଶ୍ୟ କିପରି ସଫଳ ହେବ ତାହା ସୁନିଶ୍ଚିତ କରିବା ପାଇଁ ଜିଲ୍ଲାପାଳମାନଙ୍କ ସହ ବିସ୍ତୃତ ଆଲୋଚନା କରାଯାଇଛି। ନିଜେ ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା ଜିଲ୍ଲାପାଳଙ୍କ ସହ ଭତ୍ତା ବଣ୍ଟନ ସମ୍ପର୍କରେ ସମୀକ୍ଷା କରୁଛନ୍ତି। ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ ନେତୃତ୍ୱରେ ବ୍ୟାଙ୍କ କରେସପଣ୍ଡେଣ୍ଟ, ବିଭାଗୀୟ କର୍ମଚାରୀ, ପଞ୍ଚାୟତ କାର୍ୟ୍ୟାଳୟର ଅଧିକାରୀ ଏହି କାମରେ ସାମିଲ ହୋଇଛନ୍ତି।
Powered by Froala Editor