ଆଗାମୀ ୫ଦିନ ଯାଏଁ ତାପମାତ୍ରାରେ ହେବନି ପରିବର୍ତ୍ତନ

ଭୁବନେଶ୍ୱର: ଆଗାମୀ ୫ଦିନ ଯାଏଁ ରାଜ୍ୟରେ ତାପମାତ୍ରାରେ ବିଶେଷ ପରିବର୍ତ୍ତର୍ନର ସମ୍ଭାବନା ନାହିଁ । ଏହି ସମୟରେ ରାଜ୍ୟର କିଛି ସ୍ଥାନରେ ଦିନ ତାପମାତ୍ରା ସ୍ୱାଭାବିକ ତୁଳନାରେ ୪ ରୁ ୬ ଡିଗ୍ରୀ ଅଧିକ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଭୀଷଣ ଗୁଳୁଗୁଳି ସହ ପ୍ରଚଣ୍ଡ ତାତି ଜାରି ରହିବ । ଆବଶ୍ୟକ ନଥିଲେ ଦିନ ୧୧ଟା ରୁ ୩ଟା ଯାଏ ଯାତାୟାତରୁ ନିବୃତ୍ତ ରହିବାକୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପରାମର୍ଶ ଦେଇଛି । ଶୋଷ ନ ଲାଗୁଥିଲେ ବି ପର୍ୟ୍ୟାପ୍ତ ପରିମାଣରେ ପାଣି ପିଇବାକୁ କୁହାଯାଇଛି । ଛୋଟ ପିଲା, ବୟସ୍କ ଓ ଅସୁସ୍ଥ ଲୋକଙ୍କ ପାଇଁ ଏଭଳି ତାତି ଓ ଗୁଳୁଗୁଳି ଅତି ସମ୍ବେଦନଶୀଳ । ସିଧାସଳଖ ଖରାରୁ ଦୂରେଇ ରହିବାକୁ କୁହାଯାଇଛି । ଗୃହପାଳିତ ପଶୁ ଓ ପକ୍ଷୀଙ୍କୁ ନିରାପଦ ସ୍ଥାନରେ ରଖିବାକୁ ପରାମର୍ଶ ଦିଆଯାଇଛି ।ସୋମବାର ସମ୍ବଲପୁରରେ ୪୬. ୧ ଡିଗ୍ରୀ ସେଲ୍ସିୟସରେ ପୋଡ଼ିଗଲା । ରାଜଧାନୀ ତାତି ୬ ଡିଗ୍ରୀ ବଢ଼ିଗଲା ଦୁଇ ଦିନ ଭିତରେ । ହୀରାକୁଦ ତାତି ସ୍ୱାଭାବିକଠାରୁ ପାଖାପାଖି ୯ ଡିଗ୍ରୀ ଅଧିକ ରହିଲା । ସମ୍ବଲପୁର, ଭୁବନେଶ୍ୱର ଓ ଫୁଲବାଣୀରେ ସ୍ୱାଭାବିକଠାରୁ ୮ ଡିଗ୍ରୀ ଅଧିକ ଥିଲା ।
ସାରା ରାଜ୍ୟ ହୁତହୁତ୍ ହୋଇ ଜଳିଲା ସୋମବାର । ତତଲା କଡ଼େଇରେ ପଡ଼ି ଛଟପଟ ହେଲେ ଲୋକେ । ୧୬ ସହରର ସର୍ବୋଚ୍ଚ ତାପମାତ୍ରା ୪୩ ଡିଗ୍ରୀ ଡେଇଁଗଲା । ଏ ଭୟଙ୍କର ନିଆଁଝଡ଼ ଥମିବନି ଏବେ । ଆହୁରି ଅଣାୟତ୍ତ ହେବ ୧୭ ତାରିଖ ଯାଏ ବୋଲି ପାଣିପାଗ ପୂର୍ବାନୁମାନ ସତର୍କ କରାଇ ଦେଇଛି ।
Powered by Froala Editor