କୋୱିନ୍ରୁ ତଥ୍ୟ ଲିକ୍ ଅଭିଯୋଗ; ସ୍ପଷ୍ଟୀକରଣ ରଖିଲେ ସରକାର
କୋଭିଡ୍ ଭ୍ୟାକ୍ସିନେସନକୁ ଟ୍ରାକ୍ କରୁଥିବା ପ୍ଲାଟଫର୍ମ କୋୱିନ୍ରୁ ତଥ୍ୟ ଲିକ୍ ହୋଇଥିବା କୁହାଯାଇଛି । ଟେଲିଗ୍ରାମ୍ ବୋଟ୍ ଦ୍ୱାରା ଡାଟା ଏପଟସେପଟ ହୋଇଥିବା ଖବର ଆସୁଛି । ଫଳରେ ଲିକ୍ ହୋଇଥିବା ଡାଟା ସୋସିଆଲ ମିଡିଆ ପ୍ଲାଟଫର୍ମରେ ସହଜରେ ଉପଲବ୍ଧ ହେଉଛି ।
ଟିଏମସି ମୁଖପାତ୍ର ସାକେତ୍ ଗୋଖଲେ ଟ୍ୱିଟ୍ କରି କହିଛନ୍ତି, କୋୱିନ୍ରୁ ବହୁ ବଡ ନେତାଙ୍କ ସୂଚନା ମଧ୍ୟ ଲିକ୍ ହୋଇଛି । ଯେଉଁଥିରେ ଟିଏମସି ନେତା ଡେରେକ ଓବ୍ରାଇନ୍, ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମ୍, କଂଗ୍ରେସ ନେତା ଜୟରାମ ରମେଶ ଏବଂ କେ ବେନୁଗୋପାଲ୍ ଇତ୍ୟାଦିଙ୍କ ନାମ ସାମିଲ ଅଛନ୍ତି । ଏବେ ବଡ଼ ବଡ଼ ନେତାମନ୍ତ୍ରୀ ପ୍ରାଇଭେଟ୍ ଡାଟାର ସ୍କ୍ରିନ୍ସଟ୍ ମୋବାଇଲରୁ ମୋବାଇଲ୍ ଘୁରି ବୁଲୁଛି । ତେବେ ଏହି ସାଂଘାତିକ ଖବର ପ୍ରଘଟ ହେବା ପରେ ସରକାରଙ୍କ ପକ୍ଷରୁ ସ୍ପଷ୍ଟୀକରଣ ରଖାଯାଇଛି ।
‘କୋୱିନ୍’ ଜନ୍ମ ତାରିଖ ଏବଂ ଠିକଣା ସମେତ କୌଣସି ବ୍ୟକ୍ତିବିଶେଷଙ୍କର ବ୍ୟକ୍ତିଗତ ତଥ୍ୟାବଳି ସଂଗ୍ରହ କରେ ନାହିଁ ବୋଲି କେନ୍ଦ୍ର ସରକାର କହିଛନ୍ତି। ଟିକା ନେଇଥିବା ବ୍ୟକ୍ତିମାନଙ୍କର ମୋବାଇଲ୍ ନମ୍ବର, ଆଧାର ନମ୍ବର, ପାସ୍ପୋର୍ଟ ନମ୍ବର, ଭୋଟ୍ ପରିଚୟ ପତ୍ର ସମେତ ଏବଂ ପରିବାରର ସଦସ୍ୟମାନଙ୍କର ସବିଶେଷ ବିବରଣୀ ‘କୋୱିନ୍’ ପୋର୍ଟାଲ୍ରୁ ଲିକ୍ ହୋଇଛି ବୋଲି ବିରୋଧୀ ଦଳ ସବୁ ଅଭିଯୋଗ କରିବା ପରେ ସରକାରୀ ଅଧିକାରୀମାନେ ଉପରୋକ୍ତ ସ୍ପଷ୍ଟୀକରଣ ଦେଇଛନ୍ତି। ଅଭିଯୋଗ ହେଉଥିବା ‘କୋୱିନ୍’ ଡାଟା ଲିକ୍ ସବିଶେଷ ରିପୋର୍ଟ ଉପରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ କାର୍ଯ୍ୟ କରୁଥିବା ସୂଚନା ଦେଇ ସେମାନେ କହିଛନ୍ତି ଯେ, ଏହି ସୂଚନା ସବୁକୁ ଯାଞ୍ଚ କରାଯାଉଛି।
Powered by Froala Editor