ରାଜ୍ୟରେ ଛଟପଟ କରିବ ତାତି

ଭୁବନେଶ୍ୱର: ଲାଗି ରହିବ ଗ୍ରୀଷ୍ମ ପ୍ରକୋପ । ଆସନ୍ତା ଦୁଇଦିନ ରାଜ୍ୟରେ ତାତି ପ୍ରକୋପ ଛଟପଟ କରିବ । ୨ରୁ ୩ ଡିଗ୍ରୀ ସେଲସିୟସ୍ ତାପମାତ୍ରା ବଢ଼ିଯିବ ଆସନ୍ତା ଦୁଇଦିନ ଭିତରେ । ବିଶେଷକରି ଆଭ୍ୟନ୍ତରୀଣ ଓଡ଼ିଶାରେ ୧୧ଟି ଜିଲ୍ଲାରେ ଆସନ୍ତା ଦୁଇଦିନ ପ୍ରବଳ ଗରମ ଅନୁଭୂତ ହେବ । ପାଣିପାଗ ବିଭାଗ ସତର୍କ କରାଇଛି, ଆସନ୍ତା ଦୁଇ ଦିନ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ସୋନପୁର, ବୌଦ୍ଧ, ବରଗଡ଼, ବଲାଙ୍ଗିର, ନୂଆପଡ଼ା, ନବରଙ୍ଗପୁରରେ ତାପମାତ୍ରା ୪୦ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ରହିବ । ଏସବୁ ଜିଲ୍ଲାରେ ଦିନ ୧୧ଟାରୁ ୩ଟା ପର୍ୟ୍ୟନ୍ତ ଲୋକେ ସତର୍କ ରହିବା ଆବଶ୍ୟକ । ଭୀଷଣ ଗରମ ପ୍ରବାହ ଯୋଗୁ ଏହି ସମୟରେ ଘରୁ ପଦାକୁ ନ ବାହାରିବା ଉଚିତ । ବୁଧବାର ଭୁବନେଶ୍ୱର ତାପମାତ୍ରା ୩୮ ଡିଗ୍ରୀ ଛୁଇଁପାରେ । ପାଣିପାଗ ବିଭାଗ କହିଛି, ୮ ତାରିଖରୁ ରାଜ୍ୟରେ କାଳବୈଶାଖୀ ସମ୍ଭାବନା ଅଧିକ । ୮ରୁ ୧୦ ଯାଏଁ କାଳବୈଶାଖୀ ଲାଗି ରହିବ । ଏଥିଯୋଗୁ ତାପମାତ୍ରା ୨-୩ ଡିଗ୍ରୀ କମିବା ସହ ଗରମ ପ୍ରକୋପ କମିଯିବ ।