ପଶ୍ଚିମ ଓଡ଼ିଶା ଗଲେ ଉନ୍ନୟନ କମିଶନର

ଭୁବନେଶ୍ୱର: ପୁଣି ନିଜର କାୟା ବିସ୍ତାର କରି ଚାଲିଛି କରୋନା। ଓଡ଼ିଶାରେ କରୋନା ଗ୍ରାଫ ଧୀରେ ଧୀରେ ଉପରମୁହାଁ ହେଉଛି । ଦିନକୁ ଦିନ କରୋନା ଲମ୍ବଡିଆଁ ମାରୁଛି । ଗତ କିଛି ଦିନ ହେଲା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ରାଜ୍ୟରେ କରୋନା ଚିତ୍ର ଦିନକୁ ଦିନ ଭୟାନକ ଆଡ଼କୁ ଯାଉଛି । ବର୍ତ୍ତମାନ ସ୍କୁଲ ଓ କଲେଜରେ କରୋନା ସଂକ୍ରମିତ ଚିହ୍ନଟ ଖବର ସାମନାକୁ ଆସୁଛି । ତେବେ ଏହାରି ଭିତରେ କରୋନା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଧଶ କ୍ରମେ ଉନ୍ନୟନ କମିଶନର ପଶ୍ଚିମ ଓଡ଼ିଶା ଯାଇଛନ୍ତି । ଉନ୍ନୟନ କମିଶନର ପ୍ରଥମେ ଝାରସୁଗୁଡ଼ାର ସ୍ଥିତି ବୁଲି ଦେଖିବା ପରେ ସୁନ୍ଦରଗଡ଼ ଯିବେ । ସୁନ୍ଦରଗଡ଼ରେ ବିଭିନ୍ନ ଅଧିକାରୀଙ୍କ ସହ ସମୀକ୍ଷା କରିବେ । ପ୍ରକାଶ ଯେ, ଏବେ ପଶ୍ଚିମ ଓଡ଼ିଶାରେ କରୋନା ସ୍ଥିିତି ବିଗିଡ଼ିବାରେ ଲାଗିଛି । ଦିନକୁ ଦିନ ଶହ ଶହ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ସଚେତନତାମୂଳକଳ କାର୍ଯ୍ୟକ୍ରମ ସତ୍ତ୍ୱେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ବ୍ରେକ ଲାଗୁନାହିଁ । ଗତ କାଲି ମୁଖ୍ୟମନ୍ତ୍ରୀ କରୋନା ମୁକାବିଲା ନେଇ ଉଚ୍ଚସ୍ତରୀୟ ବୈଠକ କରିଥିଲେ । ଆଉ ଏହି ବୈଠକରେ ସେ ପଶ୍ଚିମ ଓଡିଶା ଉପରେ ଅଧିକ ଗୁରୁତ୍ୱ ଦେଇଥିଲେ । ଛତିଶଗଡ ସୀମାକୁ ଲାଗିଥିବା ଜିଲ୍ଲାରେ ସଂକ୍ରମଣ ବ୍ୟାପି ଥିବାରୁ ମୁଖ୍ୟ ସଚିବ ଓ ସ୍ୱାସ୍ଥ୍ୟ ବିଭାଗ ଏସିଏସଙ୍କୁ ପଶ୍ଚିମ ଓଡିଶା ଯିବାକୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ।
ପ୍ରକାଶ ଯେ, ରାଜ୍ୟରେ ଆଉ ୭୯୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଂଟାଇନରେ ୪୫୯ ଜଣ ଥିବାବେଳେ ସ୍ଥାନୀୟ ସଂସ୍ପର୍ଶରେ ଆସି ୩୩୨ ଜଣ ଆକ୍ରାନ୍ତ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ଲକ୍ଷ ୪୪ ହଜାର ୬୪୭କୁ ଛୁଇଁଛି।
ସୁନ୍ଦରଗଡ଼ରୁ ସର୍ବାଧିକ ୧୪୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧାରୁ ୧୧୮ ଚିହ୍ନଟ ହୋଇଛନ୍ତି । ସେହିପରି ବରଗଡ଼ ୪୮, କଟକ ୪୬, ସମ୍ବଲପୁର ୪୫, ପୁରୀ ୪୩, କଳାହାଣ୍ଡି ୩୮, ଝାରସୁଗୁଡ଼ା ୩୧, ନୂଆପଡ଼ା ୩୧, ଷ୍ଟେଟପୁଲ ୨୭, ମୟୂରଭଞ୍ଜ ୨୪, ନବରଙ୍ଗପୁର ୨୩, ଅନୁଗୁଳ ୧୭, ଯାଜପୁର ୧୬, ବଲାଙ୍ଗୀର ୧୪, ରାୟଗଡ଼ା ୧୪, ଭଦ୍ରକ ୧୦, ଜଗତସିଂହପୁର ୯, ଗଞ୍ଜାମ ୯, କୋରାପୁଟ ୯, ସୁବର୍ଣ୍ଣପୁର ୭, ବାଲେଶ୍ୱର ୬, କନ୍ଧାମାଳ ୪, ଢେଙ୍କାନାଳ ୩, ମାଲକାନଗିରି ୨, ବୌଦ୍ଧ ୨, ଦେବଗଡ଼ ଓ କେନ୍ଦ୍ରାପଡ଼ାରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ।