ସତର୍କ ସୂଚନା ଜାରି:ଯେକୌଣସି ମୁହୂର୍ତ୍ତରେ ହୀରାକୁଦରୁ ଛଡ଼ାଯାଇପାରେ ବନ୍ୟାଜଳ
ସମ୍ବଲପୁର : ଆଗକୁ ଯେକୌଣସି ମୁହୂର୍ତ୍ତରେ ହୀରାକୁଦରୁ ଛଡ଼ାଯାଇପାରେ ବନ୍ୟାଜଳ। ଏନେଇ ଆଜି ହୀରାକୁଦ ବନ୍ଧ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ସତର୍କ ସୂଚନା ଜାରି କରିଛନ୍ତି। ଆସନ୍ତାକାଲି ହୀରାକୁଦ ବନ୍ଧରେ ଏଥିପାଇଁ ମକ୍ଡ୍ରିଲ୍ କରାଯିବ। ଆସନ୍ତା ବର୍ଷା ଋତୁକୁ ଦୃଷ୍ଟିରେ ରଖି ଡ୍ୟାମର ଗେଟ୍ ଖୋଲିବା ପୂର୍ବରୁ ବନ୍ଧର ୨୦ ପ୍ରତିଶତ ଗେଟ୍ର ପରୀକ୍ଷା କରାଯିବା ସହ ଏହାର ବୈଷୟିକ ଯାଞ୍ଚ କରାଯାଇଥାଏ। ବନ୍ଧର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ ରହିଥିବା ବେଳେ ବର୍ଷା ଦିନେ ବିପଦ ସଙ୍କେତରେ ପହଞ୍ଚିବା ପୂର୍ବରୁ ବନ୍ଧ କର୍ତ୍ତୃପକ୍ଷ ପୂଜାପାଠ କରି ଗେଟ୍ ଖୋଲିଥାନ୍ତି।
ହୀରାକୁଦ ବନ୍ଧର ମୋଟ ୯୮ଟି ଗେଟ୍ ମଧ୍ୟରୁ ୨୦ଟି ଗେଟ୍ର ମକଡ୍ରିଲ କରାଯିବ। ଏହି ମକ୍ଡ୍ରିଲ କାର୍ୟ୍ୟ ପରିଚାଳନା ଓ ତଦାରଖ ପାଇଁ ଭୁବନେଶ୍ୱରରୁ ଆସନ୍ତାକାଲି ମୁଖ୍ୟଯନ୍ତ୍ରୀ (ମେକାନିକାଲ) ଆସୁଛନ୍ତି। ହୀରାକୁଦ ବନ୍ଧ ମୁଖ୍ୟଯନ୍ତ୍ରୀ ଇଂ. ଆନନ୍ଦ ଚନ୍ଦ୍ର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ମକଡ୍ରିଲ କାର୍ୟ୍ୟକ୍ରମ ଆସନ୍ତାକାଲି ପୂର୍ବାହ୍ନରେ ଆରମ୍ଭ ହେବ।
ତଳମୁଣ୍ଡର ୧୨ଟି ଜିଲ୍ଲାର ଜିଲ୍ଲାପାଳ ଓ ଏସ୍ପିଙ୍କୁ ଆଗୁଆ ସତର୍କ କରାଯାଇଛି। ଏଥିରେ ସମ୍ୱଲପୁର, ବରଗଡ଼, ସୋନପୁର, ଅନୁଗୁଳ, ବୌଦ୍ଧ, ନୟାଗଡ଼, କଟକ, ଫୁଲବାଣୀ, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, ଜଗତସିଂପୁର ଓ ପୁରୀ ଜିଲ୍ଲା ରହିଛି। ତେବେ ଆସନ୍ତା ଅକ୍ଟୋବର ୩୧ ତାରିଖ ଯାଏଁ ମହାନଦୀରେ ଚଳପ୍ରଚଳ ଓ ବ୍ୟବହାରରେ ସତର୍କତା ଅବଲମ୍ୱନ ପାଇଁ କୁହାଯାଇଛି। ବନ୍ୟାଜଳ ନିଷ୍କାସନ ପୂର୍ବରୁ ୨ ଥର ସାଇରନ ବାଜିବା ସହ ବନ୍ୟାଜଳ ଛଡାଯିବ।
Powered by Froala Editor