ରିପୋର୍ଟ ଆଧାରରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ: ଅଶ୍ୱିନୀ ବୈଷ୍ଣବ

ଭୁବନେଶ୍ୱର: ବାଲେଶ୍ୱର ବାହାନଗା ଠାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାର ତଦନ୍ତ ଶେଷ ହୋଇଛି ଏବଂ ସେହି ରିପୋର୍ଟ ଆଧାରରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ଆଜି ସକାଳେ ଶ୍ରୀ ବୈଷ୍ଣବ ଦୁର୍ଘଟଣାସ୍ଥଳର ପୁନରୁଦ୍ଧାର କାମ ତାଦାରଖ କରିଛନ୍ତି। ସେ ଗଣମାଧ୍ୟମକୁ କହିଛନ୍ତି, ଟ୍ରେନ୍ ଦୁର୍ଘଟଣାର ତଦନ୍ତ ସରିଛି ଓ ରେଲ୍ ସେଫ୍ଟି କମିଶନ ଖୁବ୍ ଶୀଘ୍ର ଏ ନେଇ ରିପୋର୍ଟ ଦାଖଲ କରିବେ।
ସେ କହିଛନ୍ତି ଯେ ଦୁର୍ଘଟଣାର ମୂଳ କାରଣ ଜଣାପଡ଼ିଛି ତେଣୁ ରିପୋର୍ଟ ଆଧାରରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅନ୍ୟ ପକ୍ଷରେ ଆଜି ସୁଦ୍ଧା ଗୋଟିଏ ଟ୍ରାକ୍ ରେଳ ଚଳାଚଳ ପାଇଁ ପ୍ରସ୍ତୁତ ହୋଇଯିବ ବୋଲି ସେ କହିଛନ୍ତି। ଟ୍ରାକ ବିଛାଇବା କାମ ଶେଷ ହୋଇଛି ଓ ଏବେ ବିଦ୍ୟୁତୀକରଣ କାମ ଚାଲିଛି। ତେବେ ମଙ୍ଗଳବାର ସନ୍ଧ୍ୟା କିମ୍ବା ବୁଧବାର ସକାଳ ସୁଦ୍ଧା ଟ୍ରେନ ଚଳାଚଳ ସ୍ୱାଭାବିକ ହେବ ବୋଲି ସେ କହିଛନ୍ତି।
Powered by Froala Editor