ରେସଲରଙ୍କ ସମର୍ଥନରେ ବାହାରିଲେ ୧୯୮୩ ବିଶ୍ୱକପ୍ ବିଜେତା ଟିମ୍
ନ୍ୟାୟ ପାଇଁ ଦିଲ୍ଲୀ ଯନ୍ତରମନ୍ତରରେ ଲଢ଼େଇ କରୁଥିବା ଦେଶର ଷ୍ଟାର ରେସଲରମାନଙ୍କ ସମର୍ଥନରେ ବାହାରିଛି ୧୯୮୩ ବିଶ୍ୱକପ୍ ବିଜୟୀ ଭାରତୀୟ କ୍ରିକେଟ ଦଳ। ଗତ ମାସରେ ଦିଲ୍ଲୀ ପୋଲିସ ମଧ୍ୟ ବ୍ରିଜଭୂଷଣଙ୍କ ବିରୋଧରେ ପକ୍ସୋ ସମେତ ଦୁଇଟି ମାମଲା ରୁଜୁ କରିଥିଲା । ହେଲେ ତାଙ୍କ ବିରୋଧରେ ଏପର୍ଯ୍ୟନ୍ତ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ଏହି କାରଣରୁ ନିକଟରେ କୁସ୍ତିଯୋଦ୍ଧାମାନେ ନିଜ ନିଜର ମେଡାଲ ଗଙ୍ଗାରେ ବିସର୍ଜନ କରିବା କଥା କହିଥିଲେ । ଏହାରି ମଧ୍ୟରେ ଭାରତର ପଦକବୀରଙ୍କୁ ୧୯୮୩ ବିଶ୍ୱକପ୍ ବିଜେତା ଟିମ୍ ଇଣ୍ଡିଆର ଖେଳାଳିଙ୍କ ସମର୍ଥନ ମିଳିଛି ।
ଆନ୍ଦୋଳନ ରତ ରେସଲରମାନଙ୍କୁ ଅସମ୍ମାନ କରାଯିବାକୁ ଟିମ୍ ସଦସ୍ୟମାନେ ଘୋର ନିନ୍ଦା କରିଛନ୍ତି। ଦିଲ୍ଲୀ ପୁଲିସ ରେସଲରଙ୍କ ଉପରେ ଜୋରଜବରଦସ୍ତି କରିଥିବା ଅଭିଯୋଗ ମଧ୍ୟ ଲଗାଇଛନ୍ତି। ସୁନିଲ ଗାଭାସ୍କର, ତତ୍କାଳିନ ଟିମ୍ ଅଧିନାୟକ କପିଲ ଦେବ, ରୋଜର ବିନିଙ୍କ ସମେତ ଟିମର ଅଧିକାଂଶ ଖେଳାଳି ରାସଲରମାନଙ୍କୁ ନ୍ୟାୟ ମିଳିବ ବୋଲି ଆଶ୍ୱାସନା ଦେଇଛନ୍ତି। ଧର୍ଯ୍ୟ ନହରାଇବା ସହ ଗଙ୍ଗାରେ ରେସଲରମାନେ ପାଇଥିବା ବହୁ କଷ୍ଟ ଅର୍ଜିତ ମେଡାଲ ନ ଫୋପାଡିବାକୁ ପରାମର୍ଶ ଦେଇଛନ୍ତି। ଖୁବ୍ଶୀଘ୍ର ସମସ୍ୟାର ସମାଧାନ କରାଯିବ ବୋଲି ବୁଝାଇଛନ୍ତି।
ସୂଚନା ଥାଉକି, ଧାରଣା ଦେଉଥିବା ରେସଲରମାନେ କୁସ୍ତି ମହାସଂଘର ସଭାପତି ତଥା ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ବ୍ରିଜ୍ ଭୂଷଣଙ୍କୁ ପଦରୁ ହଟାଇବା ସହ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ରେସଲମାନଙ୍କ ଏହି ଧାରଣାକୁ ଅନେକ ଜଣାଶୁଣା ଲୋକ, ନେତାଙ୍କ ସମର୍ଥନରେ ମିଳିଛି।
Powered by Froala Editor