ଜୁଲାଇରୁ ଅକ୍ଟୋବର ମଧ୍ୟରେ ଆସିପାରେ ଫାଇଜର

ଚଳିତ ବର୍ଷ ଶେଷ ଆଡକୁ ବିଦେଶୀ ଟିକା କମ୍ପାନୀ ଟିକା ଦେଇପାରନ୍ତି ବୋଲି କହିଥିଲେ ନୀତି ଆୟୋଗର ସଦସ୍ୟ ଭି.କେ ପାଲ୍। ଏବେ କିନ୍ତୁ ସେ କହିଛନ୍ତି ଜୁଲାଇରେ ଫାଇଜର (Pfizer) ଟିକା ମଧ୍ୟ ଭାରତରେ ଉପଲବ୍ଧ ହୋଇପାରେ। ଯଦି ଫାଇଜର ଟିକା ଭାରତ ଗ୍ରହଣ କରିବ ତାହେଲେ କୋଭାକ୍ସିନ୍, କୋଭଶିଲ୍ଡ ଏବଂ ସ୍ପୁଟନିକ୍ ପରେ ଏହା ଚତୁର୍ଥ ଟିକା ହେବ ଯାହା କରୋନା ଟିକାକରଣ କାର୍ଯ୍ୟକ୍ରମରେ ସାମିଲ୍ ହେବ।
ନୀତି ଆୟୋଗ ସଦସ୍ୟ ଡାକ୍ତର ପାଲ କହିଛନ୍ତି ଯେ, ଫାଇଜର ସହ କେନ୍ଦ୍ର ସରକାର ଆଲୋଚନା ଜାରି ରଖିଛନ୍ତି। ଜୁଲାଇରୁ ଅକ୍ଟୋବର ମଧ୍ୟରେ ଫାଇଜର ୫ କୋଟି ଟିକା ଦେବ ବୋଲି ସୂଚନା ରହିଛି।
ସେ କହିଛନ୍ତି, ଟିକା ନେବା ପରେ ଯଦି କିଛି ପାର୍ଶ୍ୱ ପ୍ରତିକ୍ରିୟା ଆସିବ ସେ ବାବଦରେ ସୁରକ୍ଷା ଲୋଡିଛି ଫାଇଜର। ଭାରତ ସରକାର ଏହାକୁ ନେଇ ବିଚାର ବିମର୍ଶ କରୁଛନ୍ତି। ଖୁବ ଶୀଘ୍ର ଏହା ଉପରେ ନିଷ୍ପତ୍ତି ନିଆଯିବ। ସେ କହିଛନ୍ତି ଯେ ଆମେରିକା ସମେତ ସମସ୍ତ ଦେଶରେ ଫାଇଜର ଏହି ପ୍ରକାର ସୁରକ୍ଷା ମାଗିଛି। ତେଣୁ ଭାରତକୁ ଟିକା ଦେବା ପୂର୍ବରୁ ଆଗୁଆ ସୁରକ୍ଷା ଲୋଡ଼ିଛି।
ଏହା ସହ ୧୨ ବର୍ଷରୁ ଅଧିକ ବୟସର ସମସ୍ତଙ୍କ ଟିକାକରଣ ପାଇଁ ଫାଇଜର ନିରାପଦ ପ୍ରମାଣିତ ହୋଇଛି ବୋଲି ମଧ୍ୟ କମ୍ପାନି ସରକାରଙ୍କୁ ଜଣାଇଛି। ତେବେ ସରକାର ଅନୁମୋଦନରେ କୋହଳ ନୀତି ଆପଣେଇବା ସହ ନ୍ୟାୟିକ କ୍ଷତିପୂରଣ ପରି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କଲେ ହିଁ କମ୍ପାନି ଟିକା ଯୋଗାଇବାକୁ ପ୍ରସ୍ତୁତ ବୋଲି କହିଛି।
ସୂଚନା ଥାଉକି, ଭାରତରେ ସମ୍ପ୍ରତି ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ପାଇଥିବା କୋଭିସିଲ୍ଡ, କୋଭାକ୍ସିନ୍ ଓ ସ୍ପୁଟନିକ୍-ଭି ଆଦି ୩ ପ୍ରକାର ଟିକା ଭିତରୁ କାହାରିକୁ ବି ଏପରି ସୁରକ୍ଷା ସରକାର ଯୋଗାଇନାହାନ୍ତି। ଅପରପକ୍ଷେ, ଏହି ଟିକାଗୁଡ଼ିକ ଭିତରୁ କେହି ଗୋଟିଏ ବି ୧୮ ବର୍ଷରୁ କମ୍ ବୟସ୍କଙ୍କ ପାଇଁ ପ୍ରଯୁଜ୍ୟ ନୁହେଁ। ତେଣୁ ଆଗକୁ ସମ୍ଭାବ୍ୟ ତୃତୀୟ ଲହରରେ ବିଶେଷ କରି ଶିଶୁମାନେ ଅଧିକ ପ୍ରଭାବିତ ହେବାର ଆଶଙ୍କା ଥିବାରୁ ସେମାନଙ୍କ ଟିକାକରଣକୁ ନିଶ୍ଚିତ କରିବା ଲାଗି ସରକାର ଫାଇଜର ଟିକାକୁ ଆବଶ୍ୟକ ଅନୁମତି ଦେବାର ସମ୍ଭାବନା ଅଧିକ ବୋଲି ଆଲୋଚନା ହେଉଛି।
Powered by Froala Editor