କ୍ରାଇମବ୍ରାଞ୍ଚକୁ ନେଇ ଲୋକେ ଯାହା ଆଶା କରୁଥିଲେ ତାହା ହେଲା ନାହିଁ:ବିଜୟ ମହାପାତ୍ର

ଭୁବନେଶ୍ବର: ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାର ଷଡ଼ଯନ୍ତ୍ର ନେଇ ତଦନ୍ତ ହୋଇନାହିଁ ବୋଲି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର କହିଛନ୍ତି। ସେ କହିଛନ୍ତି, ନବ ଦାସ ହତ୍ୟାକାଣ୍ଡ ଏକ ହାଇ ପ୍ରୋଫାଇଲ ମର୍ଡ଼ର, କିନ୍ତୁ କ୍ରାଇମବ୍ରାଞ୍ଚ ବାସ୍ତବ ତଦନ୍ତ କରିନାହିଁ। ପ୍ରାରମ୍ଭିକ ଭାବରେ ଜଣାପଡୁଛି ଏବଂ କ୍ରାଇମବ୍ରାଞ୍ଚ ଏକ କଭରଅପ ବ୍ରାଞ୍ଚ ଭାବରେ ନିଜକୁ ପ୍ରତିପାଦିତ କରିଛି। କ୍ରାଇମବ୍ରାଞ୍ଚକୁ ନେଇ ଲୋକେ ଯାହା ଆଶା କରୁଥିଲେ ତାହା ହେଲା ନାହିଁ। ମୁଁ ପ୍ରଥମେ ମୋଟିଭ ଅଫ ମର୍ଡର ନେଇ ତଦନ୍ତ ହେଉ ବୋଲି କହିଥିଲି, ସେ ସମ୍ପର୍କରେ ତଦନ୍ତ କରିଛନ୍ତି କି ନାହିଁ କିଛି ଜଣାପଡ଼ୁନି।ଗୋପାଳକୁ ପାଗଳଖାନା ନେବାକୁ କ୍ରାଇମବ୍ରାଞ୍ଚ କହୁଥିଲା, ମିଡିଆ କିମ୍ବା ଲୋକେ କହୁ ନଥିଲେ। ପର୍ୟ୍ୟାୟକ୍ରମେ ବହୁତ ଗୁଡିଏ ଭୁଲ ହୋଇଛି, ସେ ଭୁଲ ସବୁ ସୁଧାରିଛନ୍ତି କି ନାହିଁ, ଠିକ ଭାବେ ତଦନ୍ତ ହୋଇଛି କି ନାହିଁ ଅଧ୍ୟୟନ କଲା ପରେ ଜଣାପଡ଼ିବ।
ସେପଟେ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି, ବର୍ତମାନ ଦାଖଲ କରାଯାଇଥିବା ଚାର୍ଜସିଟରେ କିଛି ଔପଚାରିକତା ବାକି ଅଛି ତେଣୁ ସବୁ ତଥ୍ୟ ସର୍ବସାଧାରଣ ହେବା କଥା ନୁହେଁ । ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ତଦାରଖରେ ତଦନ୍ତ ଚାଲିଛି ଏବଂ ସବୁ ସରିଲେ ଜଣାଇ ଦିଆଯିବ ବୋଲି କହିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ।
ପ୍ରକାଶ ଯେ ନବ ଦାସ ହତ୍ୟା ମାମଲାର ଚାର୍ଜସିଟ୍ କ୍ରାଇମ୍ବ୍ରାଞ୍ଚ ଶୁକ୍ରବାର ଝାରସୁଗୁଡ଼ା ଏସ୍ଡିଜେଏମ୍ଙ୍କ କୋର୍ଟରେ ଦାଖଲ କରିବା ପରେ ଅନେକ ପ୍ରସଙ୍ଗ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଗୋପାଳର ମାନସିକ ସ୍ଥିତି ଠିକ୍ ଥିବା ବେଳେ ସେ ତଦନ୍ତରେ ସହଯୋଗ ବି କରୁଥିଲା ବୋଲି କ୍ରାଇମ୍ବ୍ରାଞ୍ଚ ନିଜ ରିପୋର୍ଟରେ ଉଲ୍ଲେଖ କରିଛି। ମାତ୍ର କିଛି ଦିନ ତଳର ଚିତ୍ରକୁ ଆଖି ଆଗକୁ ନେଲେ ଗୋପାଳର ମାନସିକ ସ୍ଥିତି ଠିକ୍ ନଥିବା ଦର୍ଶାଇବା ପାଇଁ କ୍ରାଇମ୍ବ୍ରାଞ୍ଚର ବାରମ୍ବାର ପ୍ରୟାସ ଓ ଆଜିର ଚାର୍ଜସିଟ୍ ଭିତରେ ଅନେକ କିଛି ଫରକ୍ ଦେଖିବାକୁ ମିଳିଛି। ଯାହାକୁ ନେଇ କ୍ରାଇମ୍ବ୍ରାଞ୍ଚର ପ୍ରକୃତ ଉଦ୍ଦେଶ୍ୟ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଜାନୁଆରି ୨୯ ତାରିଖରେ ହତ୍ୟାକାଣ୍ଡ ପରେ ପୁଲିସ ତୁରନ୍ତ ଗୋପାଳ ଦାସକୁ ଗିରଫ କରିଥିଲା। ଦ୍ବିତୀୟ ପର୍ୟ୍ୟାୟ ରିମାଣ୍ଡ ବେଳକୁ ଅର୍ଥାତ୍ ଫେବ୍ରୁଆରି ୩ ତାରିଖରେ ଗୋପାଳ ଦାସର ମାନସିକ ସ୍ଥିତି ଯାଞ୍ଚ ପାଇଁ ସିଏଫ୍ଏସ୍ଏଲ୍ ନୂଆଦିଲ୍ଲୀର ଏକ ଟିମ୍ ଝାରସୁଗୁଡ଼ା ଆସିଥିଲେ। ଏହି ଟିମ୍ର ରିପୋର୍ଟ ପରେ ଡିଏମ୍ଇଟି ଓଡ଼ିଶାଙ୍କ ନିର୍ଦ୍ଦେଶକ୍ରମେ ଏସ୍ସିବିର ଡାକ୍ତରୀ ଦଳଙ୍କୁ ନେଇ ଏକ ସ୍ବତନ୍ତ୍ର ମେଡିକାଲ ବୋର୍ଡ ଗଠନ ହୋଇଥିଲା। ଉକ୍ତ ବୋର୍ଡ ବି ଗୋପାଳର ସ୍ଥିତି ଯାଞ୍ଚ କରିଥିଲେ ଓ ମାନସିକ ଅବସ୍ଥା ଠିକ୍ ଥିବା ନେଇ ଉତ୍ତର ରଖିଥିଲେ। ମାତ୍ର ଏହାପରେ କ୍ରାଇମ୍ବ୍ରାଞ୍ଚ ଫେବ୍ରୁଆରି ୨୦ ତାରିଖରେ ଗୋପାଳକୁ ନିମ୍ହାନ୍ସ ବେଙ୍ଗାଲୁରୁକୁ ନେବା ପାଇଁ ଜେଏମ୍ଏଫ୍ସିଙ୍କ ଅଦାଲତରେ ଆବେଦନ କରିଥିଲା। ଯାହାକୁ ସେହିଦିନ ହିଁ କୋର୍ଟ ଖାରଜ କରିଥିଲେ। ଫେବ୍ରୁଆରି ୨୨ ତାରିଖରେ କ୍ରାଇମ୍ବ୍ରାଞ୍ଚ ପୁନର୍ବାର ଜିଲ୍ଲା ଦୌରାଜଜ୍ଙ୍କ ନିକଟରେ ଅନୁରୂପ ଆବେଦନ କରିଥିଲା। ୨୭ ତାରିଖରେ କୋର୍ଟ ଏହି ମାମଲାକୁ ବିଚାର ପାଇଁ ଗ୍ରହଣ କରିଥିଲେ ହେଁ ମାର୍ଚ୍ଚ ୩ ତାରିଖରେ ଆଗତ ଆବେଦନକୁ ଖାରଜ କରି ଦେଇଥିଲେ। ଏହାପରେ ଚୌଦ୍ବାର ଜେଲ୍କୁ ଏକ ଟିମ୍ ପଠାଇ ଗୋପାଳର ମାନସିକ ସ୍ଥିତି ଯାଞ୍ଚ କରିବାକୁ ନିମ୍ହାନ୍ସ ବେଙ୍ଗାଲୁରୁକୁ କ୍ରାଇମ୍ବ୍ରାଞ୍ଚ ଅନୁରୋଧ କରିଥିଲା। ଯାହାକୁ ଏପ୍ରିଲ ୨୫ ତାରିଖରେ ନିମ୍ହାନ୍ସ ବେଙ୍ଗାଲୁରୁ ମଧ୍ୟ ଖାରଜ କରିଦେଇଥିଲା।
କେବଳ ଯେ ନିମ୍ହାନ୍ସ ନୁହେଁ, ଗୋପାଳର ମାନସିକ ସ୍ଥିତି ଯାଞ୍ଚ ପାଇଁ ଆମେରିକୀୟ ତଦନ୍ତକାରୀ ସଂସ୍ଥା ଏଫ୍ବିଆଇ(ଫେଡେରାଲ୍ ବ୍ୟୁରୋ ଅଫ୍ ଇନ୍ଭେଷ୍ଟିଗେସନ୍)କୁ ଅନୁରୋଧ କରାଯାଇଥିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ବିଧାନସଭାରେ ଉତ୍ତର ରଖିଥିଲେ। ଗୋଟିଏ ପଟେ, କ୍ରାଇମ୍ବ୍ରାଞ୍ଚ ଚାର୍ଜସିଟ୍ରେ ଡିଏମ୍ଇଟିଙ୍କ ରିପୋର୍ଟକୁ ପ୍ରମାଣ ଆଧାରରେ ଗ୍ରହଣ କରିଛି। ଅନ୍ୟ ପଟରେ, ଯଦି ଗୋପାଳର ମାନସିକ ସ୍ଥିତି ନେଇ କ୍ରାଇମ୍ବ୍ରାଞ୍ଚକୁ ପ୍ରମାଣ ମିଳିସାରିଥିଲା ତେବେ କ୍ରାଇମ୍ବ୍ରାଞ୍ଚ କେଉଁ ଉଦ୍ଦେଶ୍ୟରେ ବାରମ୍ବାର ଯାଞ୍ଚ ପାଇଁ କୋର୍ଟରେ ଆବେଦନ କରୁଥିଲା, ତାହା ଏବେ ଲୋକଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି କରିଛି। ଉଲ୍ଲେଖଯୋଗ୍ୟ, ଅଭିଯୁକ୍ତ ଗୋପାଳ ଦାସକୁ କ୍ରାଇମ୍ବ୍ରାଞ୍ଚ ପାଗଳ ସଜାଇବାକୁ ପ୍ରୟାସ କରୁଥିବା ନେଇ ବି ବିରୋଧୀ ଦଳ ଅଭିଯୋଗ ଆଣିଥିଲେ।
Powered by Froala Editor