ମହାନଦୀରେ ଜଳପ୍ରବାହର ସ୍ଥିତି ଅନୁଧ୍ୟାନ ପାଇଁ ଆଜି କଟକ ଆସୁଛନ୍ତି ଟ୍ରିବ୍ୟୁନାଲ୍ ଟିମ୍

କଟକ: ମହାନଦୀରେ ଜଳପ୍ରବାହର ସ୍ଥିତି ଅନୁଧ୍ୟାନ ପାଇଁ ଶୁକ୍ରବାର କଟକରେ ପରିଦର୍ଶନ କରିବେ ମହାନଦୀ ଟ୍ରିବ୍ୟୁନାଲ୍ ଟିମ୍ । ଟ୍ରିବ୍ୟୁନାଲ୍ ସଦସ୍ୟମାନେ ମୁଣ୍ଡଳୀଠାରୁ ଗସ୍ତ ଆରମ୍ଭ କରିବେ ବୋଲି ଜଣାପଡ଼ିଛି । ପରେ ନରାଜ, ଯୋବ୍ରା ବ୍ୟାରେଜ୍ ଦେଇ ବିରୂପା ବ୍ୟାରେଜ୍ ପର୍ୟ୍ୟନ୍ତ ଯିବେ । ଏହି ଅବସରରେ ବିଭିନ୍ନ ସ୍ଥାନରେ ମହାନଦୀର ଜଳସ୍ଥିତି ଯାଞ୍ଚ୍ କରାଯିବ । ଯାଞ୍ଚ୍ ଅନୁସାରେ ଟ୍ରିବ୍ୟୁନାଲର ଏହି ଟିମ୍ ଯେଉଁ ରିପୋର୍ଟ ଦେବେ ତା’ ଉପରେ ଓଡ଼ିଶା ଏବଂ ଛତିଶଗଡ଼ ମଧ୍ୟରେ ମହାନଦୀ ଜଳ ଆବଣ୍ଟନର ଭାଗ୍ୟ ନିର୍ଭର କରୁଛି । ଅନ୍ୟପକ୍ଷରେ ଟ୍ରିବ୍ୟୁନାଲ ବୈଷୟିକ ଟିମ୍ ସଦସ୍ୟଙ୍କ ଏହି ଗସ୍ତକୁ ସମ୍ପୂର୍ଣ୍ଣ କଟକଣା ଭିତରେ ରଖାଯାଇଛି । ଜିଲ୍ଲାପାଳ ଏବଂ ଡିସିପିଙ୍କୁ ବାଦ୍ଦେଲେ ରାଜ୍ୟର ଅନ୍ୟ କୌଣସି ଅଧିକାରୀ ଏହି ଗସ୍ତରେ ସାମିଲ୍ ହେବେ ନାହିଁ ।
ଜଳସମ୍ପଦ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଛିତଶଗଡ଼ରେ ବ୍ୟାରେଜ୍ ହେବା ଫଳରେ ମହାନଦୀ ଉପରେ ଏହାର ପ୍ରକୃତ ପ୍ରଭାବ କ’ଣ ତାହା ତଳମୁଣ୍ଡରୁ ହିଁ ସ୍ପଷ୍ଟ ଦେଖାଯିବ । ଅର୍ଥାତ ମୁଣ୍ଡୁଳୀଠାରୁ ଯେତିକି ତଳକୁତଳ ଟ୍ରିବ୍ୟୁନାଲ କମିଟିର ସଦସ୍ୟମାନେ ଗସ୍ତ କରିବେ ସେମାନଙ୍କୁ ମହାନଦୀର ସେତିକି ସେତିକି ବିକଳ ଚିତ୍ର ଦେଖିବାକୁ ମିଳିବ । କାରଣ ମହାନଦୀର ଅଧିକାଂଶ ସ୍ଥାନରେ ଜଳପ୍ରବାହ ଏକରକମ ବନ୍ଦ ହୋଇଯାଇଛି । ମହାନଦୀର ମୁଖ୍ୟ ଶାଖାନଦୀ କାଠଯୋଡ଼ି ସମ୍ପୂର୍ଣ୍ଣ ଶୁଖିଲା ପଡ଼ିଛି । ବର୍ତ୍ତମାନ ଯୋବ୍ରା ବ୍ୟାରେଜ୍ ନିକଟରେ ଏଭଳି ସ୍ଥିତି ଉପୁଜିଛି ଯେ ଧାନ ଫସଲକୁ ଛାଡ଼ିଦେଲେ ରବି ଋତୁରେ କେନାଲରେ ପାଣି ଛାଡ଼ିବା ସମ୍ଭବ ହେଉନାହିଁ ।
Powered by Froala Editor