ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ଭୁବନେଶ୍ୱର : ବାତ୍ୟା କ୍ଷୟକ୍ଷତି ଆକଳନ ଓ ସମୀକ୍ଷା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁବନେଶ୍ୱରରେ ପହଁଚିଛନ୍ତି । ସମ୍ପ୍ରତି ପ୍ରଧାନମନ୍ତ୍ରୀ ଭୁବନେଶ୍ୱର ବିମାନ ବନ୍ଦରରେ ଅଛନ୍ତି । ପ୍ରଧାନମନ୍ତ୍ରୀଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ସ୍ୱାଗତ ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ପ୍ରାୟ ୧ ଘଂଟା ଧରି ଭୁବନେଶ୍ୱର ବିମାନ ବନ୍ଦରରେ ରହିବେ । ସେଠାରେ ସେ ବାତ୍ୟା ୟସର କ୍ଷୟକ୍ଷତି ନେଇ ସମୀକ୍ଷା କରିବେ । ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ, ମୁଖ୍ୟସଚିବ, ସ୍ୱତନ୍ତ୍ର ରିଲିଫ କମିଶନର ପ୍ରମୁଖ ଉପସ୍ଥିତ ରହିବେ । ସମୀକ୍ଷା କରିବା ପରେ ପ୍ରଧାନମନ୍ତ୍ରୀ ବାଲେଶ୍ୱର ଓ ଭଦ୍ରକ ଅଂଚଳର ପ୍ରଭାବିତ ଅଂଚଳକୁ ଆକାଶ ମାର୍ଗରୁ ଅନୁଧ୍ୟାନ କରିବେ । ବାଲେଶ୍ୱର ଓ ଭଦ୍ରକର କ୍ଷୟକ୍ଷତି ଦେଖିବା ପରେ ପୂର୍ବ ମେଦିନୀପୁର ଅଂଚଳର ବି କ୍ଷୟକ୍ଷତିକୁ ଅନୁଧ୍ୟାନ କରିବେ । ସେହିପରି ପଶ୍ଚିମବଙ୍ଗ ପ୍ରଶାସନ ସହ ସେ ମଧ୍ୟ ସମୀକ୍ଷା ବୈଠକ କରିବେ ବୋଲି ଜାଣିବାକୁ ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମୀକ୍ଷାକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମନେକରାଯାଉଛି । କାହିଁକିନା ସମୀକ୍ଷା କରିବା ପରେ ପ୍ରଧାନମନ୍ତ୍ରୀ ଏନେଇ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିବେ । ଅପରପକ୍ଷରେ ରାଜ୍ୟ ସରକାର ମଧ୍ୟ ପ୍ରାକ କ୍ଷୟକ୍ଷତି ଆକଳନ କରି ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି ଉପସ୍ଥାପନ କରିବେ ।
Powered by Froala Editor