ସୌରଭ ଗାଙ୍ଗୁଲି ହେବେ ତ୍ରିପୁରା ପର୍ଯ୍ୟଟନ ବିଭାଗ ବ୍ରାଣ୍ଡ ଆମ୍ବାସଡର
ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ବିସିସିଆଇର ପୂର୍ବତନ ସଭାପତି ସୌରଭ ଗାଙ୍ଗୁଲିଙ୍କୁ ମିଳିଛି ନୂଆ ଦାୟିତ୍ୱ। ଗାଙ୍ଗୁଲି ବିଜେପି ଶାସିତ ରାଜ୍ୟ ତ୍ରିପୁରା ପର୍ଯ୍ୟଟନ ବିଭାଗର ବ୍ରାଣ୍ଡ ଆମ୍ବାସାଡର ହେବାକୁ ଯାଉଛନ୍ତି। ଭାରତୀୟ କ୍ରିକେଟ ଟିମ୍ର ପୂର୍ବତନ ଅଧିନାୟକ ମଙ୍ଗଳବାର ତ୍ରିପୁରାର ପର୍ଯ୍ୟଟନ ମନ୍ତ୍ରୀ ସୁଶାନ୍ତ ଚୌଧୁରୀଙ୍କ ସହ ତାଙ୍କ କୋଲକାତା ସ୍ଥିତ ବାସଭବନରେ ଏକ ବୈଠକ କରିବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ବୈଠକ ପରେ ଗାଙ୍ଗୁଲି କହିଛନ୍ତି, ‘ମୁଁ ପ୍ରସ୍ତୁତ ଅଛି, ଆଜି ରାତି ସୁଦ୍ଧା ସବୁ କିଛି ଚୂଡ଼ାନ୍ତ ହୋଇଯିବ’।
ସୌରଭ ସହମତି ପ୍ରକାଶ କରିବା ପରେ ତ୍ରିପୁରା ମୁଖ୍ୟମନ୍ତ୍ରୀ ଡାକ୍ତର ମାନିକ ସାହା ଟ୍ୱିଟ କରି କହିଥିଲେ, ଏହା ଏକ ଗୌରବର କଥା ଯେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଆମ ପ୍ରସ୍ତାବରେ ରାଜି ହୋଇଯାଇଛନ୍ତି। ମୋର ଦୃଢ଼ ବିଶ୍ୱାସ ଯେ ଶ୍ରୀ ଗାଙ୍ଗୁଲିଙ୍କ ଅଂଶ ଗ୍ରହଣ ଫଳରେ ରାଜ୍ୟର ପର୍ଯ୍ୟଟନ କ୍ଷେତ୍ରକୁ ଏକ ବଡ଼ ଶକ୍ତି ମିଳିବ।
ପର୍ଯ୍ୟଟନ ମନ୍ତ୍ରୀ କହିଛନ୍ତି, ‘ତ୍ରିପୁରା ରାଜ୍ୟ ପର୍ଯ୍ୟଟନକୁ ବିଶ୍ୱ ପାଖରେ ପହଞ୍ଚାଇବା ପାଇଁ ପ୍ରୋତ୍ସାହନ ଏବଂ ଉପଯୁକ୍ତ ବ୍ରାଣ୍ଡିଂର ଆବଶ୍ୟକତା ରହିଛି ଏବଂ ଏଥିପାଇଁ ଆମକୁ ଜଣେ ଲୋକପ୍ରିୟ ବ୍ରାଣ୍ଡ ଆମ୍ବାସାଡର ଦରକାର ଯିଏ କି ସମଗ୍ର ବିଶ୍ୱରେ ପରିଚିତ ଥିବେ। ତ୍ରିପୁରାର ପର୍ଯ୍ୟଟନକୁ ସମଗ୍ର ବିଶ୍ୱକୁ ପ୍ରୋତ୍ସାହିତ କରିବା ପାଇଁ ଆମର ପ୍ରିୟ ଦାଦା ସୌରଭ ଗାଙ୍ଗୁଲିଙ୍କ ଠାରୁ ଅଧିକ ଲୋକପ୍ରିୟ ବ୍ୟକ୍ତିତ୍ୱ ଆଉ କିଏ ହୋଇପାରେ’?
Powered by Froala Editor