ଯୁକ୍ତ ୨ ଖାତା ଦେଖା, ମିଳିବ ଦୁଇଟି ପଦ୍ଧତିରେ ମାର୍କ

ଭୁବନେଶ୍ବର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍ଏସ୍ଇ) ଦ୍ବାରା ପରିଚାଳିତ ଯୁକ୍ତ୨ କଲେଜ(ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ) ଦ୍ବାଦଶ ଶ୍ରେଣୀ ପରୀକ୍ଷାର ଉତ୍ତର ଖାତା ମୂଲ୍ୟାୟନ ଶେଷ ହୋଇଛି। ଦୁଇଟି ପର୍ଯ୍ୟାୟରେ ହୋଇଥିବା ମୂଲ୍ୟାୟନରେ ୭୦୦ରୁ ଅଧିକ ଅଧ୍ୟାପକଙ୍କ ଅନୁପସ୍ଥିତି ସତ୍ତ୍ବେ ଧାର୍ଯ୍ୟ ସମୟର ୧୦ ଦିନ ବିଳମ୍ବରେ ଖାତାଦେଖା ସରିଛି। ବିଜ୍ଞାନ ଓ ବାଣିଜ୍ୟ ବିଭାଗ ବିଷୟଗୁଡ଼ିକର ଇ-ମୂଲ୍ୟାୟନ ଲାଗି ୩୯ଟି ଏବଂ କଳା ଓ ଧନ୍ଦାମୂଳକ ବିଷୟଗୁଡ଼ିକର ମାନୁଆଲ୍ ମୂଲ୍ୟାୟନ ଲାଗି ୬୫ଟି କେନ୍ଦ୍ର ହୋଇଥିଲା। ମୂଲ୍ୟାୟନ ଶେଷ ହେବା ପରେ ପରିଷଦ କର୍ତ୍ତୃପକ୍ଷ ଏବେ ପରୀକ୍ଷା ଫଳ ପ୍ରକାଶ ଉପରେ ଗୁରୁତ୍ବାରୋପ କରିଛନ୍ତି।
ଅନ୍ଲାଇନ୍ ମୂଲ୍ୟାୟନ ଶୀଘ୍ର ଶେଷ ହୋଇଥିବାରୁ ମେ’ ଶେଷ ସପ୍ତାହରେ ଯୁକ୍ତ୨ ବିଜ୍ଞାନ ଓ ବାଣିଜ୍ୟ ବିଭାଗର ପ୍ରାୟ ୧ ଲକ୍ଷ ୩୦ ହଜାର ପରୀକ୍ଷାର୍ଥୀଙ୍କ ଫଳ ପ୍ରକାଶ କରିବାକୁ ଲକ୍ଷ୍ୟ ରଖାଯାଇଛି। କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ସାମାନ୍ୟ ବିଳମ୍ବ ହେବ। ଜୁନ୍ ୧୦ ତାରିଖ ସୁଦ୍ଧା ଉକ୍ତ ଦୁଇ ବିଭାଗର ଫଳ ପ୍ରକାଶ ପାଇବ ବୋଲି ପରିଷଦର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଅନ୍ୟପକ୍ଷରେ ଗତବର୍ଷ ପରି ଏଥର ମଧ୍ୟ ଦୁଇଟି ମୂଲ୍ୟାୟନ ପଦ୍ଧତିରେ ପରୀକ୍ଷାର୍ଥୀମାନଙ୍କୁ ମାର୍କ ପ୍ରଦାନ କରାଯିବ। ପ୍ରଥମ ପଦ୍ଧତି ଅନୁଯାୟୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସ୍ତରରେ ହୋଇଥିବା ଇଣ୍ଟରନାଲ୍ ପରୀକ୍ଷାରେ ଛାତ୍ରଛାତ୍ରୀ ପାଇଥିବା ମାର୍କରୁ ୨୦% ୱେଟେଜ୍(ହାରାହାରି ମାର୍କ) ଓ ବୋର୍ଡ ପରୀକ୍ଷାର ୮୦% ୱେଟେଜ୍କୁ ନିଆଯାଇ ପିଲାଙ୍କ ପ୍ରତ୍ୟେକ ବିଷୟର ମାର୍କ ନିଦ୍ଧାରଣ କରାଯିବ। ଏଥିପାଇଁ ପରୀକ୍ଷାର୍ଥୀଙ୍କ ତିନୋଟି ଇଣ୍ଟରନାଲ୍ ପରୀକ୍ଷା ମଧ୍ୟରୁ ସର୍ବାଧିକ ମାର୍କ ପାଇଥିବା ଦୁଇଟି ପରୀକ୍ଷାକୁ ବିଚାରକୁ ନିଆଯିବ। ଏହି ପଦ୍ଧତିରେ ଉଭୟ ଇଣ୍ଟରନାଲ ଓ ବୋର୍ଡ ପରୀକ୍ଷାର ୱେଟେଜ୍ ଭିତ୍ତିରେ ପରୀକ୍ଷାର୍ଥୀଙ୍କ ଫଳ ଚୂଡ଼ାନ୍ତ କରାଯିବ।
ଦ୍ବିତୀୟ ପଦ୍ଧତି ଅନୁଯାୟୀ କେବଳ ଯୁକ୍ତ୨ ବୋର୍ଡ ପରୀକ୍ଷାରେ ପରୀକ୍ଷାର୍ଥୀ ରଖିଥିବା ନମ୍ବରକୁ ୧୦୦% ୱେଟେଜ୍ ଭାବେ ଗ୍ରହଣ କରାଯିବ। ଉକ୍ତ ଦୁଇଟି ପଦ୍ଧତି ମଧ୍ୟରୁ ଯେଉଁଥିରେ ପରୀକ୍ଷାର୍ଥୀଙ୍କର ଅଧିକ ମାର୍କ ରହିବ, ତାହାକୁ ସଂପୃକ୍ତ ବିଷୟରେ ମାର୍କ ଭାବେ ବିଚାର କରାଯିବ। ଇଣ୍ଟରନାଲ ପରୀକ୍ଷା ଦେଇପାରି ନଥିବା ପିଲାଙ୍କ କ୍ଷେତ୍ରରେ ସେମାନଙ୍କ ବୋର୍ଡ ପରୀକ୍ଷାର ମାର୍କକୁ ଚୂଡ଼ାନ୍ତ ମାର୍କ ଭାବେ ଗ୍ରହଣ କରାଯିବ ବୋଲି ସିଏଚ୍ଏସ୍ଇ ପକ୍ଷରୁ ସ୍ପଷ୍ଟ କରାଯାଇଛି।
Powered by Froala Editor