ବଢ଼ିଛି ତାତି ପ୍ରକୋପ : ୧୨ ଯାଏଁ ଭୀଷଣ ଗରମ

ଭୁବନେଶ୍ୱର,: ରାଜ୍ୟରେ ତାତି ପ୍ରକୋପ ବଢ଼ିଛି । ୧୨ ତାରିଖ ଯାଏଁ ଭୀଷଣ ଛଟପଟ କରିବ ଗ୍ରୀଷ୍ମର କୋପ । ଏହା ଭିତରେ ପାରଦ ୪୨-୪୩ ଡିଗ୍ରୀ ଛୁଇଁପାରେ । ତେବେ ବାତ୍ୟା ଓଡ଼ିଶାଠାରୁ ବହୁ ଦୂରରେ ପଳାଇଲେ ରାଜ୍ୟରେ ପ୍ରଚଣ୍ଡ ଗରମ ଅନୁଭୂତ ହୋଇପାରେ । ୪୪-୪୫ ଡିଗ୍ରୀ ସେଲସିୟସ ତାପମାତ୍ରାରେ ଟକ ଟକ ହୋଇ ଫୁଟିପାରେ ଓଡ଼ିଶା । ସୋମବାର ରାଜ୍ୟର ୧୪ଟି ସହରରେ ପାରଦ ୪୦ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ରହିଥିଲା । ବୌଦ୍ଧ ତାପମାତ୍ରା ୪୨ ଡିଗ୍ରୀ ସେଲସିୟସ୍, ଝାରସୁଗୁଡ଼ା ୪୧.୬, ସମ୍ବଲପୁର ୪୧.୬, ରାଉରକେଲା ୪୧.୪, ଅନୁଗୁଳ ୪୧.୧, ସୁନ୍ଦରଗଡ଼, ତାଳଚେର ୪୦.୮, ବଲାଙ୍ଗିର ୪୦.୫, ଜଗତସିଂହପୁର ୪୦.୫, ଚାନ୍ଦବାଲି ୪୦.୨ ଡିଗ୍ରୀ ରେକର୍ଡ ହୋଇଥିଲା । ଟିଟିଲାଗଡ଼, ସୋନପୁର, ନୟାଗଡ଼, କେନ୍ଦ୍ରାପଡ଼ାରେ ପାରଦ ୪୦ ଡିଗ୍ରୀ ଛୁଇଁଥିଲା । ହୀରାକୁଦ ୩୯.୯, କଟକ ୩୯.୫, ବରଗଡ଼ ୩୯.୫, ନୂଆପଡ଼ା ୩୯.୪, ଭବାନୀପାଟଣା ୩୯, ଦେବଗଡ଼ ୩୯, ମାଲକାନଗିରି ୩୯ ଡିଗ୍ରୀ ରହିଥିଲା । ଭୁବନେଶ୍ୱର ତାପମାତ୍ରା ୩୮.୨ ଡିଗ୍ରୀ ଥିଲା ।ବର୍ତ୍ତମାନ ରାଜ୍ୟରେ ତାତି ବଢ଼ିବ । ଆଭ୍ୟନ୍ତରୀଣ ଅଞ୍ଚଳରେ ୪୨-୪୪ ଡିଗ୍ରୀ ମଧ୍ୟରେ ରହିପାରେ ପାରଦ । ଉପକୂଳରେ ୪୧-୪୨ ଡିଗ୍ରୀ ପର୍ୟ୍ୟନ୍ତ ଯାଇପାରେ । ଯଦି ବାତ୍ୟା ଓଡ଼ିଶା କିମ୍ବା ଭାରତ ଉପକୂଳକୁ ନ ଆସି ମିଆଁମାର-ବାଂଲାଦେଶ ଆଡ଼କୁ ଯାଏ, ତେବେ ତାତି ଆହୁରି ବଢ଼ିବ । ଆକାଶ ମେଘମୁକ୍ତ ରହିବା ସହ ଉତ୍ତର-ପଶ୍ଚିମରୁ ତତଲା ଶୁଷ୍କ ପବନ ଅଧିକ ପ୍ରବାହିତ ହେବ । ଅନ୍ୟପକ୍ଷରେ ରାଜ୍ୟକୁ ସାମୁଦ୍ରିକ ପବନ ଆସିବନି । ବାତ୍ୟା ସବୁ ଜଳୀୟବାଷ୍ପ ଟାଣି ନେଇ ପଳାଇବ । ତେଣୁ କାଳବୈଶାଖୀଜନିତ ବର୍ଷା ସମ୍ଭାବନା କମିଯିବ । ବାତ୍ୟା ଦୂରରେ ଦୂରରେ ପଳାଇଲେ ୫-୬ ଦିନ ପର୍ୟ୍ୟନ୍ତ ସାମୁଦ୍ରିକ ପବନ ପ୍ରବାହ ରାଜ୍ୟକୁ କମିଯିବା ସମ୍ଭାବନା ଅଛି । ଏଭଳି ହେଲେ ୧୨ ତାରିଖରୁ ତାତି ଆହୁରି ବଢ଼ିବା ସହ ୧୭-୧୮ ତାରିଖ ପର୍ୟ୍ୟନ୍ତ ଭୀଷଣ ଗରମ ଅନୁଭୂତ ହୋଇପାରେ । ଯଦିଓ ତାପମାତ୍ରା ଏବେଠାରୁ ଧୀରେ ଧୀରେ ବଢ଼ିବ । ଆସନ୍ତା ୧୩ ତାରିଖବେଳକୁ ଅନେକ ଜାଗାରେ ପାରଦ ୪୫ ଡିଗ୍ରୀ ଡେଇଁପାରେ । ଉତ୍ତର ଆଭ୍ୟନ୍ତରୀଣ ଅଞ୍ଚଳରେ ୧୩ରୁ ଗ୍ରୀଷ୍ମ ପ୍ରବାହ କଲବଲ କରିବ ।
Powered by Froala Editor