ସୁଶୀଲଙ୍କୁ ନିଲମ୍ବିତ କଲା ରେଳବାଇ

ନୂଆଦିଲ୍ଲୀ: ସାଗର ଧନକର ହତ୍ୟା ମାମଲାରେ ଗିରଫ ହେବା ପରେ ଅଲମ୍ପିଆନ କୁସ୍ତିଯୋଦ୍ଧା ସୁଶୀଲ କୁମାରଙ୍କ ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ପୁଲିସ ଦ୍ୱାରା ଗିରଫ ହେବା ପରେ ଏବେ ଏହାର ପ୍ରଭାବ ତାଙ୍କ ରୋଜଗାରରେ ପଡ଼ିଛି । ନିଯୁକ୍ତି ଦାତା ଉତ୍ତର ରେଳବାଇ ତାଙ୍କୁ ମଙ୍ଗଳବାର ଚାକିରିରୁ ନିଲମ୍ବିତ କରିଥିଲା ବେଳେ ଭାରତୀୟ କୁସ୍ତି ମହାସଂଘ (ଡବ୍ଲୁଏଫଆଇ) ତାଙ୍କ ବାର୍ଷିକ ଚୁକ୍ତିକୁ ବଢ଼ାଇବ ନାହିଁ ବୋଲି ସୂଚନା ମିଳିଛି । ସୁଶୀଲ ଉତ୍ତର ରେଳବାଇରେ ବାଣିଜି୍ୟକ ପ୍ରବନ୍ଧକ ଭାବେ ଚାକିରି କରିଥିଲେ । ୨୦୧୫ରୁ ସେ ଡେପୁଟେସନରେ ଆସି ଦିଲ୍ଲୀ ସରକାରଙ୍କ ଅଧୀନରେ ଛତ୍ରଶାଳ ଷ୍ଟାଡିୟମରେ ସ୍ୱତନ୍ତ୍ର ଅଧିକାରୀ (ଓଏସଡି) ଭାବେ କାର୍ଯ୍ୟ କରୁଥିଲେ । ଏଠାରେ ସେ ବିଦ୍ୟାଳୟ ସ୍ତରରେ କ୍ରୀଡ଼ା ବିକାଶ କାର୍ଯ୍ୟ କରୁଥିଲେ । ଉତ୍ତର ରେଳବାଇର ମୁଖପାତ୍ର ସୋମବାର କହିଛନ୍ତି ଯେ ରବିବାର ସୁଶୀଲ ଗିରଫ ହେବାର ରିପୋର୍ଟ ଆମକୁ ମିଳିଛି ଏହାକୁ ତର୍ଜମା କରିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ । ତାଙ୍କ ବିରୋଧରେ ହତ୍ୟା ମାମଲା ହେବା ସହ ଗିରଫ ହୋଇ ପୁଲିସ ହେପାଜତରେ ଥିବାରୁ ତାଙ୍କୁ ନିୟମ ଅନୁଯାୟୀ ନିଲମ୍ବନ କରାଯାଇଛି ବୋଲି ଉତ୍ତର ରେଳବାଇର ମୁଖପାତ୍ର ଦୀପକ କୁମାର କହିଛନ୍ତି ।
Powered by Froala Editor