ଭାରତରେ ନିଷିଦ୍ଧ ହୋଇପାରେ ଫେସବୁକ, ଟ୍ୱିଟର ଓ ଇନଷ୍ଟାଗ୍ରାମ୍ !

ନୂଆଦିଲ୍ଲୀ: ଫେସବୁକ, ଟ୍ୱିଟର ଓ ଇନଷ୍ଟାଗ୍ରାମ୍ ଭଳି ବଡ଼ ସୋସିଆଲ ମିଡିଆ ସାଇଟଗୁଡ଼ିକ ଭାରତରେ ନିଷିଦ୍ଧ ହୋଇପାରେ । ଏହି ସଂସ୍ଥାଗୁଡ଼ିକ ବର୍ତ୍ତମାନ ଯେଉଁ ଆଇନଗତ ଅଧିକାର ଉପଭୋଗ କରୁଛନ୍ତି ତାହାକୁ ଭାରତ ସରକାର ପ୍ରତ୍ୟାହାର କରିନେବେ । ଏଥିପାଇଁ ଏକ ନୂଆ ନିୟମ ଜାରି କରାଯାଇଛି । ସେହି ନିୟମକୁ ଚଳିତ ମାସ ୨୫ ସୁଦ୍ଧା ପାଳନ କରିବାକୁ କଂପାନିଗୁଡ଼ିକୁ ସରକାର କହିଥିଲେ । ନିୟମ ଅନୁସାରେ ଏହି କଂପାନିଗୁଡ଼ିକୁ ଆଉ ସେମାନଙ୍କ ମୂଳ କଂପାନିର ସହଯୋଗୀ ସଂସ୍ଥା ଭାବେ ବିଚାର କରାଯିବ ନାହିଁ । ତେବେ ବର୍ତ୍ତମାନ ସୁଦ୍ଧା କୌଣସି କଂପାନି ଏହି ନିୟମକୁ ପାଳନ କରିନାହାନ୍ତି ।
ଫେସବୁକ୍ ପକ୍ଷରୁ କୁହାଯାଇଛି ଯେ ଭାରତ ସରକାରଙ୍କ ନୂଆ ନିୟମ ପାଳନ କରିବାକୁ ଆମେ ଲକ୍ଷ୍ୟ ରଖିଛୁ । କିନ୍ତୁ ଏଦିଗରେ କେତେକ ପ୍ରସଙ୍ଗକୁ ନେଇ ସରକାରଙ୍କ ସହିତ ଆହୁରି ଆଲୋଚନା କରିବାର ଆବଶ୍ୟକତା ରହିଛି ବୋଲି କଂପାନିର ପ୍ରବକ୍ତା କହିଛନ୍ତି । କେନ୍ଦ୍ର ସରକାର ଫେବ୍ରୁଆରି ୨୫ରେ ନୂଆ ସୂଚନା ପ୍ରଯୁକ୍ତି ନିୟମ ଜାରି କରିଥିଲେ । ଏହାର ଲକ୍ଷ୍ୟ ହେଉଛି ସୋସିଆଲ ମିଡିଆରେ ପୋଷ୍ଟ ହେଉଥିବା ବିଷୟବସ୍ତୁଗୁଡ଼ିକ ଉପରେ ନଜର ରଖିବା । ରାଜନୈତିକ ଉଦେ୍ଧଶ୍ୟ ରଖି ଏହି ନିୟମ ଅଣାଯାଇଛି ବୋଲି ଅଭିଯୋଗ ହେଉଛି ।
ଏହି ନିୟମ ତିଆରି କରିବା ପୂର୍ବରୁ ଅଂଶୀଦାରମାନଙ୍କ ସହ କୌଣସି ଆଲୋଚନା କରାଯାଇନଥିଲା । ନିୟମକୁ ଯଦି କଡ଼ାକଡ଼ି ଭାବେ ଲାଗୁ କରାଯିବ ତେବେ ଦେଶରେ ଥିବା ପ୍ରାୟ ସବୁ ବଡ଼ ସୋସିଆଲ୍ ମିଡିଆ କଂପାନି ଯଥା ଫେସବୁକ୍, ଟ୍ୱିଟର, ଇନଷ୍ଟାଗ୍ରାମ୍, ଟେଲିଗ୍ରାମ୍, ସିଗନାଲ ଆଦି ପ୍ରଭାବିତ ହେବେ । ଏହି ସବୁ କଂପାନିକୁ ଦେଶରେ କୋଟି କୋଟି ଲୋକ ବ୍ୟବହାର କରୁଛନ୍ତି । ନୂଆ ନିୟମରେ ଅନେକ କଠୋର ବ୍ୟବସ୍ଥା ରହିଛି । ଆପତ୍ତିଜନକ ପୋଷ୍ଟକୁ ହଟାଇବା ଲାଗି ସରକାର କହିବାର ୩୬ ଘଣ୍ଟା ଭିତରେ ତାହା ହଟିଯିବା ଦରକାର । ଯେଉଁ କଂପାନି ସେହି ନିୟମ ପାଳନ କରିବାରେ ବିଫଳ ହେବେ ସେମାନଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରାଯିବ । ଏହି ନିୟମ ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପସନ ପ୍ରତି ମଧ୍ୟ ଏକ ବଡ଼ ବିପଦ ବୋଲି କୁହାଯାଉଛି । କାରଣ ସରକାର ପୋଷ୍ଟର ପ୍ରକୃତ ଉତ୍ସ ବିଷୟରେ ଜଣାଇବା ଲାଗି କଂପାନିଗୁଡ଼ିକୁ ବାଧ୍ୟ କରୁଛନ୍ତି । ସରକାର ଆଣିଥିବା ନୂଆ ନିୟମ ଲାଗୁ କରିବାର ସମୟ ସୀମାକୁ ଏକ ବର୍ଷ ବଢ଼ାଇବା ଲାଗି ବଡ଼ ସୋସିଆଲ ମିଡିଆ କଂପାନିଗୁଡ଼ିକ ଶିଳ୍ପ ସଂଘ ଫିକି ଓ ସିଆଇଆଇ ଜରିଆରେ ଲବି ଆରମ୍ଭ କରିଛନ୍ତି । ଏହି ସମୟ ସୀମା ଶେଷ ହେଉଥିବା ବେଳେ ସରକାରଙ୍କ ତରଫରୁ ଏପର୍ଯ୍ୟନ୍ତ ଏହାକୁ ବଢ଼ାଇବା ନେଇ କୌଣସି ଘୋଷଣା କରାଯାଇନାହିଁ ।
Powered by Froala Editor