ଟ୍ୱିଟର ଆକାଉଣ୍ଟରୁ ହଟିଲା ମା’ କାଳୀଙ୍କ ଫଟ, ଭାରତୀୟଙ୍କୁ କ୍ଷମା ମାଗିଲା ୟୁକ୍ରେନ
ନୂଆଦିଲ୍ଲୀ: ୟୁକ୍ରେନ୍ ପ୍ରତିରକ୍ଷା ମନ୍ତ୍ରଣାଳୟର ଟ୍ବିଟର ଆକାଉଣ୍ଟରେ ମାଆ କାଳୀଙ୍କ ପରି ଦେଖାଯାଉଥିବା ଏକ ବିକୃତ ଛବି ପୋଷ୍ଟ କରାଯାଇଥିଲା, ଯାହାକୁ ନେଇ ଭାରତରେ ନେଟିଜେନ୍ (ଇଣ୍ଟରନେଟ୍ ବ୍ୟବହାରକାରୀ)ଙ୍କ ଭିତରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏବେ ୟୁକ୍ରେନ୍ ସେହି ଟ୍ବିଟ୍କୁ ହଟାଇ ଦେବା ସହ ଭାରତୀୟଙ୍କୁ କ୍ଷମା ମାଗିିଛି।ୟୁକ୍ରେନ୍ ପକ୍ଷରୁ ଗତକାଲି ମଧ୍ୟରାତ୍ରରେ ଏକ ଟ୍ବିଟ୍ ହୋଇ ଲେଖାଯାଇଛି ଯେ ‘ଆମେ ଦୁଃଖିତ। ଭାରତୀୟ ସଂସ୍କୃତିକୁ ନେଇ ଆମ ମନରେ ଯଥେଷ୍ଟ ସମ୍ମାନ ରହିଛି। ୟୁକ୍ରେନର ଲୋକମାନେ ଭାରତୀୟ ସଂସ୍କୃତି ସମ୍ମାନ ଓ ସମର୍ଥନ କରନ୍ତି। ଫଟୋଟିକୁ ଏବେ ହଟାଇ ଦିଆଯାଇଛି।’
ତେବେ ପୂର୍ବରୁ ୟୁକ୍ରେନ୍ ପ୍ରତିରକ୍ଷା ମନ୍ତ୍ରଣାଳୟର ଟ୍ବିଟର ଆକାଉଣ୍ଟରେ ମାଆ କାଳୀଙ୍କ ପରି ଦେଖାଯାଉଥିବା ଏକ ବିକୃତ ଛବି ପୋଷ୍ଟ କରାଯାଇଥିବା ବେଳେ ଏହାକୁ ଅପମାନଜନକ ଓ ‘ହିନ୍ଦୁଫୋବିକ୍’ ବୋଲି ସୋସିଆଲ୍ ମିଡିଆ ବ୍ୟବହାରକାରୀ ଅଭିଯୋଗ କରିଛନ୍ତି।ୟୁକ୍ରେନ୍ ପ୍ରତିରକ୍ଷା ମନ୍ତ୍ରଣାଳୟର ଟ୍ବିଟର ହ୍ୟାଣ୍ଡେଲରେ ପୋଷ୍ଟ ହୋଇଥିବା ଛବିରେ ଅଣ୍ଟା ତଳର ବସ୍ତ୍ରକୁ ଉପରକୁ ଉଠାଇଥିବା ହଲିଉଡ୍ ଅଭିନେତ୍ରୀ ମାରିଲିନ ମନରୋଙ୍କ ପରି ମାଆ କାଳୀଙ୍କୁ ପ୍ରଦର୍ଶିତ କରାଯାଇଥିଲା। ଏହାଦ୍ବାରା ହିନ୍ଦୁ ଦେବୀଙ୍କୁ ଅପମାନିତ କରାଯାଇଛି ବୋଲି ଅଭିଯୋଗ ହୋଇଥିଲା।ଛବିଟି ପୋଷ୍ଟ କରାଯିବାର କେଇ ମିନିଟ୍ ଭିତରେ ନେଟିଜେନ୍ମାନଙ୍କ ପ୍ରବଳ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା। ଏହାପରେ ୟୁକ୍ରେନ୍ର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏହାକୁ ଡିଲିଟ୍ କରାଯାଇଛି।
Powered by Froala Editor