କାଳବୈଶାଖୀଜନିତ ଭାରି ବର୍ଷା: ୧୮ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି

ଭୁବନେଶ୍ବର : ରାଜ୍ୟରେ ଜାରି ରହିଛି କାଳବୈଶାଖୀ ପ୍ରଭାବ। ଫଳରେ ରାଜ୍ୟବାସୀଙ୍କୁ ଏବେ ତାତିରୁ ଆଶ୍ବସ୍ତି ମିଳିଛି। ଆଜି ରାଜ୍ୟର ଅଧିକାଂଶ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ କାଳବୈଶାଖୀ ବର୍ଷା ହେବ। ପବନର ବେଗ ଘଣ୍ଟା ପ୍ରତି ୪୦ରୁ ୫୦ କିମି ରହିବ। ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ଢେଙ୍କାନାଳ, କନ୍ଧମାଳ, ବୌଦ୍ଧ, କଳାହାଣ୍ଡି, ମାଲକାନଗିରି, କୋରାପୁଟ ଓ ରାୟଗଡ଼ା ଆଦି ୧୮ ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ଝଡ଼ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ସେହିଭଳି ଢେଙ୍କାନାଳ, ବୌଦ୍ଧ, କଟକ, ଯାଜପୁର, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା ଓ କୋରାପୁଟ ଆଦି ୮ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ କୁଆପଥର ବର୍ଷା ସମ୍ଭାବନା ରହିଛି। ଏହାକୁ ନଜରରେ ରଖି ଏହି ୮ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ତେବେ ବଜ୍ରପାତର ଆଶଙ୍କା ଥିବାରୁ ସମସ୍ତେ ସତର୍କ ରହିବା ତଥା ବିଜୁଳି, ଘଡ଼ଘଡ଼ି ସମୟରେ ନିଜକୁ ସୁରକ୍ଷିତ ସ୍ଥାନରେ ରଖିବାକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି।
ପାଣିପାଗ କେନ୍ଦ୍ରର ସୂଚନା ମୁତାବକ, ଆସନ୍ତା ୨୬ ତାରିଖ ଯାଏ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି। ଆଜି ଓ ୨୪ ତାରିଖ ଦିନ କାଳବୈଶାଖୀଜନିତ ଭାରି ବର୍ଷା ହୋଇପାରେ। କିଛି କିଛି ସ୍ଥାନରେ କୁଆପଥର ବର୍ଷା ମଧ୍ୟ ହେବାର ସମ୍ଭାବନା ରହିଛି। ଫଳରେ ରାଜ୍ୟର ତାପମାତ୍ରା ୩ ଦିନରେ ପାଖାପାଖି ୨ରୁ ୩ ଡିଗ୍ରି ପର୍ୟ୍ୟନ୍ତ ଖସିବ। ଫଳରେ ଖରାରୁ ଏବେ ସାମୟିକ ସମୟ ପାଇଁ ଆଶ୍ବସ୍ତି ମିଳିବ। ଆଜି ରାଜଧାନୀ ଭୁବନେଶ୍ବର ତଥା ଏହାର ସଂଲଗ୍ନ ଅଞ୍ଚଳରେ ପାଗ ଆଂଶିକ ମେଘୁଆ ରହିବ। ବର୍ଷା ସମ୍ଭାବନା ମଧ୍ୟ ରହିଛି। ଦିନର ସର୍ବୋଚ୍ଚ ତାପମାତ୍ରା ୩୮ ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୨୭ ଡିଗ୍ରି ମଧ୍ୟରେ ରହିବ।
Powered by Froala Editor