ମିଳିଲା ଶ୍ରୀମନ୍ଦିରର ହଜିଥିବା ୨ଟି ଫାଇଲ
ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା ସଂକ୍ରାନ୍ତ ୨ଟି ଫାଇଲ୍ ହଜିବା ଘଟଣାରେ ରାଜ୍ୟ ଆଇନ ବିଭାଗ ସ୍ପଷ୍ଟୀକରଣ ଦେଇଛି । ହଜିଥିବା ୨ଟି ଫାଇଲ ମିଳିଯାଇଛି ଓ ଏହା ନମିଳିବା ଉଦ୍ଦେଶ୍ୟ ପ୍ରଣୋଦିତ ନଥିଲା ବୋଲି ବିଭାଗ କହିଛି । ଏହି ଫାଇଲ ହଜିବା ଘଟଣାରେ ବିଜେପି ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲା । ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା ସହ ଜଡ଼ିତ ୨ଟି ଫାଇଲ ହଜିଯିବା ଘଟଣାକୁ ନେଇ ଗତ ୪ଦିନ ଧରି ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ଆଇନ ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ ଜାରି ହୋଇଛି । ଆଇନ ବିଭାଗ କହିଛି ଯେ, ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ସମ୍ପର୍କିତ ୨ଟି ପୁରୁଣା ଫାଇଲ ନମିଳିବା ବା ହଜିଯାଇଥିବା ଖବର ଗଣମାଧ୍ୟମରେ ପ୍ରସାରିତ ହେବା ସରକାରଙ୍କ ନଜରକୁ ଆସିଛି । ଏହି ଖବର ସମ୍ପୂର୍ଣ୍ଣ ଭିତ୍ତିହୀନ । ଏହି ୨ଟି ପୁରୁଣା ରୁଟିନ୍ ଫାଇଲ୍ ବହୁ ପୁରୁଣା ହୋଇଥିବା ଯୋଗୁ ଏବଂ ପୁରୁଣା ଫାଇଲରେ ମିଶି ଯାଇଥିବାରୁ ଏହାକୁ ଖୋଜିବା ଅତ୍ୟନ୍ତ କଠିନ ଥିଲା । ଏହି ଉଭୟ ଫାଇଲକୁ ଖୋଜିବା ପାଇଁ ସମସ୍ତ ଉପବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା । ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଉଛି ଯେ, ଏହି ଦୁଇଟି ଫାଇଲ ମିଳିଯାଇଛି ଓ ଏହା ସମ୍ପୂର୍ଣ୍ଣ ସୁରକ୍ଷିତ ଅଛି । ଏହା ଏକ ସାଧାରଣ ଫାଇଲ୍ ଥିଲା ଓ ଏହା ନମିଳିବା ଉଦ୍ଦେଶ୍ୟ ପ୍ରଣୋଦିତ ନଥିଲା ବୋଲି ଆଇନ ବିଭାଗ ପକ୍ଷରୁ ଜାରି ପ୍ରେସ୍ ରିଲିଜରେ କୁହାଯାଇଛି ।
Powered by Froala Editor