ମିଲଖା ସିଂହ କୋଭିଡ ପଜିଟିଭ
ନୂଆଦିଲ୍ଲୀ: କିଂବଦନ୍ତି ଭାରତୀୟ ଧାବକ ମିଲଖା ସିଂହଙ୍କ ଅସୁସ୍ଥତା ବଢ଼ିବାରୁ ତାଙ୍କୁ ସୋମବାର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗତ ବୁଧବାର କୋଭିଡ ପଜିଟିଭ ଆସିବା ପରଠାରୁ ୯୧ ବର୍ଷୀୟ ମିଲଖା ନିଜ ଚଣ୍ଡୀଗଡ଼ ବାସଭବନରେ ସଙ୍ଗରୋଧରେ ରହିଥିଲେ । ତାଙ୍କ ଅବସ୍ଥା ସ୍ଥିର ରହିଛି ବୋଲି କୁହାଯାଇଛି । ତାଙ୍କ ପୁତ୍ର ତଥା ଅଗ୍ରଣୀ ଗଲଫର ଜୀଭ ମିଲଖା ସିଂହ କହିଛନ୍ତି ପ୍ରତିଶେଧମୂଳକ ପଦକ୍ଷେପ ନେଇ ଆମେ ତାଙ୍କୁ ହସପିଟାଲରେ ଭର୍ତ୍ତି କରିଛୁ । ଗତକାଲିଠାରୁ ସେ ଖାଉନାହାନ୍ତି ଏବଂ ଦୁର୍ବଳ ଅନୁଭବ କରୁଛନ୍ତି । ସବୁ ପାରାମିଟର ସଠିକ୍ ରହିଥିଲେ ମଧ୍ୟ ଡାକ୍ତରଙ୍କ ନଜରରେ ରଖିବାକୁ ହସ୍ପିଟାଲରେ ଭର୍ତ୍ତି କରିଛୁ’ ବୋଲି ଜୀଭ ପ୍ରକାଶ କରିଥିଲେ । କିଂବଦନ୍ତି ଧାବକ ମିଲଖା ୪ ଥର ଏସୀୟ କ୍ରୀଡ଼ା ସ୍ୱର୍ଣ୍ଣ ଜିତିବା ସହ ୧୯୫୮ରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ବିଜେତା ମଧ୍ୟ ହୋଇଥିଲେ । ୧୯୬୦ ରୋମ୍ ଅଲିମ୍ପିକ୍ସ ୪୦୦ ମିଟର ଫାଇନାଲରେ ଚତୁର୍ଥ ହେବା ତାଙ୍କୁ ବିଖ୍ୟାତ କରିଥିଲା । ଇଟାଲୀ ରାଜଧାନୀରେ ସେ ରଚିଥିବା ଜାତୀୟ କୀର୍ତ୍ତିମାନ (୪୫.୭୩ ସେକେଣ୍ଡ)କୁ ଦୀର୍ଘ ୩୮ ବର୍ଷ ପରେ ୧୯୯୮ରେ ପରମଜିତ୍ ସିଂହ ଭାଙ୍ଗିଥିଲେ । ୧୯୫୬ ଓ ୧୯୬୪ ଅଲିମ୍ପିକ୍ସରେ ମଧ୍ୟ ସେ ଭାରତର ପ୍ରତିନିଧିତ୍ୱ କରିଥିଲେ । ୧୯୫୯ରେ ତାଙ୍କୁ ପଦ୍ମଶ୍ରୀ ପୁରସ୍କାର ମିଳିଥିଲା ।
Powered by Froala Editor