କର୍ଣ୍ଣାଟକରେ ବିଜେପି ସରକାର ବିରୋଧରେ ବର୍ଷିଲେ ରାହୁଲ
ନୂଆଦିଲ୍ଲୀ : କୋଲାରରେ ବିବାଦୀୟ ଟିପ୍ପଣୀ ପାଇଁ ରାହୁଲଙ୍କ ସଦସ୍ୟ ପଦ ରଦ୍ଦ ହୋଇଛି । ଠିକ ସେହି ଜାଗାରୁ ହିଁ ରାହୁଲ ଜୋରଦାର ପ୍ରଚାର ଆରମ୍ଭ କରିଥିଲେ । ନିଜ ସଦସ୍ୟ ପଦ ରଦ୍ଦ ପାଇଁ ଚର୍ଚ୍ଚାରେ ଥିବା ରାହୁଲ ଏହାକୁ ପ୍ରମୁଖ ମୁଦ୍ଦା କରିଥିବା ବେଳେ କୋଲାର ରାଲିରେ ରାହୁଲ ଗାନ୍ଧି ଲୋକମାନଙ୍କୁ ବହୁ ପ୍ରତିଶ୍ରୁତି ଦେଇଛନ୍ତି । କୋଲାରରେ ପ୍ରଚାରର ଦିନକ ପରେ ରାହୁଲ ଭାଲକୀ ଏବଂ ହମନାବାଦରେ ଜୋରଦାର ପ୍ରଚାର କରିଛନ୍ତି । କର୍ଣ୍ଣାଟକରେ ବିଜେପି ସରକାରର ଦୁର୍ନୀତି ବିରୋଧରେ ବର୍ଷିଛନ୍ତି ରାହୁଲ ।
ବିଜେପିକୁ ୪୦ ପ୍ରତିଶତ କମିଶନ ସରକାର କହିବା ସହ ଦଳକୁ ମାତ୍ର ୪୦ ଟି ସିଟ ଦେବା ପାଇଁ କର୍ଣ୍ଣାଟକବାସୀଙ୍କୁ କହିଛନ୍ତି ରାହୁଲ । ଏଥିସହିତ କଂଗ୍ରେସକୁ ୧୫୦ ଟି ସିଟରେ ଜିତାଇ ବିଜେପିକୁ ବିଧାୟକ କିଣିବାର ସୁଯୋଗ ନ ଦେବାକୁ ଲୋକଙ୍କୁ ଆହ୍ୱାନ ଦେଇଛନ୍ତି ରାହୁଲ ।ସଂରକ୍ଷଣ ପ୍ରସଙ୍ଗକୁ ମଧ୍ୟ ନିର୍ବାଚନ ପ୍ରଚାରରେ ପ୍ରମୁଖ ପ୍ରସଙ୍ଗ କରିଛନ୍ତି । ବିଜେପି ନିର୍ବାଚନରେ ମିଛ ପ୍ରତିଶୃତି ଦେଇଥିବା ଅଭିଯୋଗ କରିବା ସହ ବର୍ଷକୁ ଦୁଇ କୋଟି ଚାକିରି ଏବଂ ୧୫ ଲକ୍ଷ ଟଂକା ଦେବାକୁ କହିଥିଲା । କିନ୍ତୁ ଲୋକମାନେ ପାଇଲେ କି ବୋଲି ରାହୁଲ ପ୍ରଶ୍ନ କରିଛନ୍ତି । ରାଜ୍ୟରେ କ୍ଷମତାସୀନ ବିଜେପିକୁ ଗାଦିଚ୍ୟୁତ କରିବାକୁ ଆହ୍ୱାନ ଦେବା ସହ କଂଗ୍ରେସ କ୍ଷମତାକୁ ଆସିଲେ ଲୋକଙ୍କୁ ମାଗଣା ବିଜୁଳି, ଗରିବ ଲୋକଙ୍କୁ ରାସନ ଓ ମହିଳାଙ୍କୁ ମାସିକ ୨ ହଜାର ଟଙ୍କା ଲେଖାଏ ମିଳିବ ବୋଲି ସେ କହିଛନ୍ତି । କର୍ଣ୍ଣାଟକରେ କଂଗ୍ରେସ ସରକାର ଗଠନ କରିବ ବୋଲି ଦୃଢୋକ୍ତି ପ୍ରକାଶ କରିବା ସହ ସରକାର ଗଠନ ହେବା ସହ ସବୁ ପ୍ରତିଶ୍ରୁତିକୁ ପାଳନ କରାଯିବ ବୋଲି ରାହୁଲ କହିଛନ୍ତି ।
ଏହା ସହିତ ଆଦାନି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦି ଓ ବିଜେପିକୁ ତୀବ୍ର ସମାଲୋଚନା କରିଛନ୍ତି ରାହୁଲ । କୋଲାରରୁ ରାହୁଲଙ୍କ କର୍ଣ୍ଣାଟକ ଅଭିଯାନ ଆରମ୍ଭ ହୋଇଥିବା ବେଳେ ଭାଲକୀ ଓ ହମନାବାଦରେ ରାହୁଲ ପ୍ରଚାରକୁ ଜୋରଦାର କରିଛନ୍ତି । ଗୋଟିଏ ପଟେ ବିଜେପିର ବରିଷ୍ଠ ନେତାମାନେ କଂଗ୍ରେସରେ ମିଶୁଥିବା ବେଳେ ଦଳର ଚିନ୍ତା ବଢିଥିବା ଆଲୋଚନା ହେଉଛି । ଠିକ ସେହି ସମୟରେ ରାହୁଲଙ୍କ ଶାଣିତ ଆକ୍ରମଣ ଦେଖିବାକୁ ମିଳିଛି ।
Powered by Froala Editor