ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା:ପତ୍ନୀ, ଡିଏଫଓ ଓ ରୋଷେୟାଙ୍କୁ ହାଜର ହେବାକୁ ସମନ
ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡିର ବହୁଚର୍ଚ୍ଚିତ ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭରତୀ ପଣ୍ଡା, ଡିଏଫଓ ସଂଗ୍ରାମ କେଶରୀ ବେହେରା ଏବଂ ରୋଷେୟା ମନ୍ମଥ କୁମ୍ଭଙ୍କ ବିରୋଧରେ ହତ୍ୟା ଏବଂ ଅପରାଧିକ ଷଡଯନ୍ତ୍ର ରଚିବା ଦଫାରେ ବିଚାର ହେବ । ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ରଙ୍କ ଆବେଦନକୁ ଗ୍ରହଣ କରି ପାରଳାଖେମୁଣ୍ଡି ଏସଡିଜେଏମ ଏହି ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ଅଭିଯୁକ୍ତଙ୍କୁ ଆସନ୍ତା ୨୭ ତାରିଖରେ ହାଜର ହେବାକୁ ସମନ କରାଯାଇଛି ।
ଆବେଦନକାରୀଙ୍କ ଆବେଦନ, ରେକର୍ଡ କରାଯାଇଥିବା ବୟାନ ଏବଂ ଅନ୍ୟାନ୍ୟ ଦଲିଲ ଦସ୍ତାବିଜକୁ ତର୍ଜମା କରି କୋର୍ଟ କହିଛନ୍ତି ଯେ, ହତ୍ୟା ଏବଂ ଅପରାଧିକ ଷଡଯନ୍ତ୍ର ରଚିବା ଅଭିଯୋଗ ବିଚାରଯୋଗ୍ୟ । ତଥ୍ୟ ରହିଛି ତେଣୁ ଏହି ଆଧାରରେ ସମସ୍ତ ଅଭିଯୁକ୍ତଙ୍କୁ ହାଜର ପାଇଁ ସମନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ତେବେ ନିଆଁରେ ପୋଡ଼ି ହୋଇ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ରଙ୍କର ଡାକ୍ତରଖାନାରେ ମୃତ୍ୟୁ ହୋଇଥିଲା । ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ରଙ୍କୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ପାରଳାଖେମୁଣ୍ଡି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ ଶରୀରର ୮୦ ପ୍ରତିଶତ ପୋଡିଯାଇଥିଲା । ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ପରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ କଟକର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।
ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୨୧, ଜୁଲାଇ ୧୨ରେ ସୌମ୍ୟରଞ୍ଜନଙ୍କ ଶରୀରରେ ସନ୍ଦେହଜନକ ପରିସ୍ଥିତିରେ ନିଆଁ ଲାଗି ଯାଇଥିବା ବେଳେ ୧୩ ତାରିଖ ଦିନ କଟକର ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଥିଲା । ଶବ ବ୍ୟବଚ୍ଛେଦ ରିପୋର୍ଟରୁ ତାଙ୍କ ଶରୀରର ୯୫ ପ୍ରତିଶତ ଅଂଶ ପୋଡି ଯାଇଥିବା ସ୍ପଷ୍ଟ ହୋଇଥିଲା । ଜୁଲାଇ ୧୪ରେ ସୌମ୍ୟରଂଜନଙ୍କ ମୃତ୍ୟୁ ମାମଲାରେ ତାଙ୍କ ପତ୍ନୀ ବିଦ୍ୟାଭାରତୀ, ଗଜପତି ଡିଏଫଓ ଓ ରୋଷେୟା ବିରୋଧରେ ପରିବାର ତରଫରୁ ଏତଲା ଦିଆଯିବା ପରେ ପାରଳାଖେମୁଣ୍ଡି ଥାନାରେ ଆଇପିସିର ଦଫା ୩୦୨ ଓ ୧୨୦-ଖରେ ମାମଲା ପଞ୍ଜୀକୃତ ହୋଇଥିଲା ।
ପୁଲିସ ତଦନ୍ତ ଚାଲିଥିବା ବେଳେ ଅଗଷ୍ଟ ୧୪ରେ କ୍ରାଇମବ୍ରାଞ୍ଚକୁ ତଦନ୍ତ ଦାୟିତ୍ୱ ସରକାର ଦେଇଥିଲେ । କ୍ରାଇମବ୍ରାଞ୍ଚ ଟିମ୍ ଘଟଣାସ୍ଥଳ ପରିଦର୍ଶନ କରିବା ସହିତ ସାକ୍ଷୀଙ୍କ ବୟାନ ରେକର୍ଡ କରିଥିଲେ ଓ ଡିଏଫଓଙ୍କୁ ପଚରା ଉଚୁରା କରିଥିଲେ । ଆବେଦନକାରୀଙ୍କ ସହିତ ତାଙ୍କ ପରିବାର ସଦସ୍ୟଙ୍କ ବୟାନ ମଧ୍ୟ କ୍ରାଇମବ୍ରାଞ୍ଚ ରେକର୍ଡ କରିଥିଲା । ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଅବହେଳା କାରଣରୁ ହୋଇଥିବା ଦର୍ଶାଇ ତଦନ୍ତକାରୀ ସଂସ୍ଥା ବିଦ୍ୟାଭାରତୀଙ୍କ ବିରୋଧରେ ଆଇପିସର ଦଫା ୨୮୫ ଓ ୩୦୪-କ’ରେ ଚାର୍ଜସିଟ ଦାଖଲ କରିଥିଲା ।
Powered by Froala Editor