ଭିତରକନିକା, ଧାମରା ଓ ଚାନ୍ଦବାଲିରେ ଲ୍ୟାଣ୍ଡଫଲ ଆଶଙ୍କା:ସ୍ୱତନ୍ତ୍ର ରିଲିଫ କମିଶନର
ଭୁବନେଶ୍ୱର: ବାତ୍ୟା ‘ୟଶ’ ଭିତରକନିକା, ଧାମରା ଓ ଚାନ୍ଦବାଲିରେ ଲ୍ୟାଣ୍ଡଫଲ କରିବାର ଆଶଙ୍କା ରହିଛି ବୋଲି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା କହିଛନ୍ତି । ତେବେ ୟଶର ମୁକାବିଲା ନେଇ ସେ କହିଛନ୍ତି ଯେ, ଆଜି ସନ୍ଧ୍ୟା ପର ଠାରୁ ପବନ ବଢିବାର ଆଶଙ୍କା ରହିଛି । ସନ୍ଧ୍ୟା ସୁଦ୍ଧା ଲୋକଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା ଶେଷ ହେବ । ଆଜି ଦିନ ୧୦ ସୁଦ୍ଧା ୫୦ରୁ ୬୦ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ସ୍ଥାନାନ୍ତର ପ୍ରକ୍ରିୟାରେ ଜନସାଧାରଣଙ୍କ ସହଯୋଗ ମିଳୁଛି । ବାତ୍ୟା ଆଶ୍ରୟସ୍ଥଳ ଛଡ଼ା ଅନ୍ୟ ସ୍ଥାନରେ ମଧ୍ୟ ବ୍ୟବସ୍ଥା କରାଯାଇଛି । ବାତ୍ୟା ସମୟରେ ବାହାରେ ବୁଲାବୁଲି ନକରିବାକୁ ସ୍ୱତନ୍ତ୍ର ରିଲିଫ କମିଶନର ସୂଚନା ଦେଇଛନ୍ତି । ବାତ୍ୟା ବେଳେ ଅନ୍ତତଃ ୪ରୁ ୬ଘଣ୍ଟା ଛାତ ଘର ଭିତରେ ରୁହନ୍ତୁ । ବିଦୁ୍ୟତ ସଂଯୋଗ ଯୋଗୁଁ ଜଳଯୋଗାଣରେ ଅସୁବିଧା ଘଟିପାରେ । ଲୋକମାନେ ୨/୩ ଦିନ ପର୍ଯ୍ୟନ୍ତ ଘରେ ପିଇବା ପାଣି ସାଇତି ରଖନ୍ତୁ ବୋଲି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା କହିଛନ୍ତି ।
ପ୍ରକାଶ ଯେ, ୟଶ ଭଦ୍ରକ ଜିଲ୍ଲା ଧାମରା ପାଖରେ ସ୍ଥଳଭାଗ ଅତିକ୍ରମ କରିବ । ୨୬ ତାରିଖ ଭୋର ସୁଦ୍ଧା ଧାମରା ପାଖରେ ୟଶ କେନ୍ଦ୍ରୀଭୂତ ହେବ ବୋଲି ଆଇଏମଡି ଡିଜି ମୃତୁ୍ୟଞ୍ଜୟ ମହାପାତ୍ର ସୂଚନା ଦେଇଥିଲେ । ୨୬ ତାରିଖ ଭୋର ସୁଦ୍ଧା ଧାମରା ପାଖରେ ୟଶ କେନ୍ଦ୍ରୀଭୂତ ହେବ । ଧାମରାର ଉତ୍ତରକୁ ଓ ବାଲେଶ୍ୱରର ଦକ୍ଷିଣକୁ ସ୍ଥଳଭାଗ ଅତିକ୍ରମ କରିବ । ବାତ୍ୟା ରିକର୍ଭ କରି ପଶ୍ଚିମବଙ୍ଗ ଆଡ଼କୁ ଯିବାର ସମ୍ଭାବନା ନାହିଁ ।
ଏହାଛଡ଼ା ସେ କହିଛନ୍ତି ଯେ, ଧାମରା ଓ ଚାନ୍ଦବାଲିରେ ସବୁଠାରୁ ଅଧିକ କ୍ଷତି ଘଟାଇବ । ୨୬ ତାରିଖ ସକାଳୁ ବାତ୍ୟାର ପ୍ରଭାବ ଉପକୂଳରେ ପଡ଼ିବ । ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ଅଧିକ ପ୍ରଭାବ ପଡ଼ିବ । ଆଜି ସନ୍ଧ୍ୟା ସୁଦ୍ଧା ୟଶ ଅତିଭୀଷଣ ବାତ୍ୟାରେ ପରିଣତ ହେବ । ସ୍ଥଳଭାଗ ଛୁଇଁବାର ପୂର୍ବ ଓ ପର ୬ ଘଣ୍ଟା ଅତି ଗୁରୁତ୍ୱପୂର୍ଣ୍ଣ । ଆଜି ମଧ୍ୟରାତ୍ରରୁ ୬୦ରୁ ୮୦କିମି ବେଗରେ ପବନ ବୋହିବ । କାଲି ସକାଳ ବେଳକୁ ପବନର ବେଗ ୧୫୦ରୁ ୧୬୦ କିମି ରହିବ । ଫଣି ଠାରୁ ପବନର ବେଗ ପାଖାପାଖି ୫୦ କିମି କମ ରହିବ । ଆଜି ସନ୍ଧ୍ୟା ସୁଦ୍ଧା ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ନେବା କାର୍ଯ୍ୟ ଶେଷ କରିବାକୁ ଆଇଏମଡି ଡିଜି ଶ୍ରୀ ମହାପାତ୍ର କହିଥିଲେ ।
Powered by Froala Editor