ସହାୟତା ପାଇଁ ଭାରତ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ୟୁକ୍ରେନ ରାଷ୍ଟ୍ରପତି
ମାନବିକ ସହାୟତା ପାଇଁ ୟୁକ୍ରେନ ରାଷ୍ଟ୍ରପତି ଭ୍ଲୋଦମିର ଜେଲେନସ୍କି ଭାରତର ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ଏହି ଚିଠିକୁ ୟୁକ୍ରେନର ଡେପୁଟି ବୈଦେଶିକ ମନ୍ତ୍ରୀ ଇମିନେ ଡଜାଫାରଭା ଭାରତର ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ମୀନାକ୍ଷୀ ଲେଖିଙ୍କ ପାଖକୁ ପଠାଇଛନ୍ତି।
ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ମୀନାକ୍ଷୀ ଲେଖି ଟ୍ୱିଟ କରିଛନ୍ତି ଯେ ମେଡିସିନ ଓ ମେଡିକାଲ ସାମଗ୍ରୀ ସହ ଅଧିକ ସଂଖ୍ୟାରେ ମାନବିକ ସହାୟତା ପାଇଁ ୟୁକ୍ରେନ ଅନୁରୋଧ କରିଛି। ଭାରତ ମଧ୍ୟ ସବୁବେଳେ ୟୁକ୍ରେନକୁ ଆବଶ୍ୟକ ମାନବିକ ସହାୟତା ଯୋଗାଇ ଦେବ ବୋଲି ପ୍ରତିଶ୍ରୁତି ଦେଇଛି।
ଯୁଦ୍ଧ କ୍ଷତି ଗ୍ରସ୍ତ ଦେଶରେ ପାଠ ଅଧାରୁ ଛାଡ଼ି ଦେଇଥିବା ବିଦେଶୀ ମେଡିକାଲ ଶିକ୍ଷାର୍ଥୀ ୟୁନିଫାଏଡ ଷ୍ଟେଟ କ୍ୱାଲିଫିକେସନ ପରୀକ୍ଷା ସେମାନଙ୍କ ଦେଶରେ ଦେଇପାରିବେ। ସେହିପରି ଭିତ୍ତିଭୂମିର ପୁନଃ ବିକାଶ ଭାରତୀୟ କମ୍ପାନୀଗୁଡ଼ିକ ପାଇଁ ନୂଆ ସୁଯୋଗ ସୃଷ୍ଟି କରିପାରିବେ ବୋଲି ୟୁକ୍ରେନ ମନ୍ତ୍ରୀ ଇମିନେ କହିଛନ୍ତି ।
ଏହାବାଦ ଭାରତର ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀରେ ଜେଲେନସ୍କିଙ୍କୁ ଯୋଗ ଦେବା ପାଇଁ ଅନୁମତି ଦେବାକୁ ୟୁକ୍ରେନ ପକ୍ଷରୁ ଅନୁରୋଧ କରାଯାଇଛି। ତେବେ ଭାରତ ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇନି।
Powered by Froala Editor