ବୃଦ୍ଧି ପାଇବାରେ ଲାଗିଛି କରୋନା ସଂକ୍ରମଣ
ନୂଆଦିଲ୍ଲୀ : ଦେଶରେ ଗତ କିଛିଦିନ ହେଲା କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । କରୋନା ମୁକାବିଲା ଦିଗରେ ହସ୍ପିଟାଲ ଗୁଡିକ କିଭଳି ପ୍ରସ୍ତୁତ ଅଛନ୍ତି ସେନେଇ ଦେଶବ୍ୟାପୀ ହସ୍ପିଟାଲ୍ ଗୁଡିକରେ ଆଜିଠାରୁ ଦୁଇଦିନିଆ କୋଭିଡ୍ ମକଡ୍ରିଲ ଆରମ୍ଭ ହୋଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଦିଲ୍ଲୀର ରାମ ମନୋହର ଲୋହିଆ (ଆରଏମଏଲ) ହସ୍ପିଟାଲରେ ମକଡ୍ରିଲର ସମୀକ୍ଷା କରିଛନ୍ତି । ଦେଶର ସମସ୍ତ ସରକାରୀ ଏବଂ ଘରୋଇ ହସ୍ପିଟାଲରେ କୋଭିଡ୍ ମକଡ୍ରିଲ ପରିଚାଳନା କରାଯାଉଛି । ଦେଶରେ କରୋନା ସଂକ୍ରମଣ ବଢ଼ୁଥିବାରୁ କିଛି ରାଜ୍ୟରେ ପୁଣିଥରେ କରୋନା କଟକଣା ଫେରିଛି ।
ଦିଲ୍ଲୀରେ କରୋନା ପଜିଟିଭ ହାର ୨୧ ପ୍ରତିଶତ ଟପିଥିବାରୁ ଚିନ୍ତା ବଢ଼ିଛି । ଦିଲ୍ଲୀ ସ୍ୱାସ୍ଥ୍ୟ ମନ୍ତ୍ରୀ ସୌରଭ ଭରଦ୍ୱାଜ ଆଜି କହିଛନ୍ତି, ଦିଲ୍ଲୀରେ ଆଗାମୀ ଦିନରେ ସଂକ୍ରମଣ ବଢ଼ିବାର ଆଶଙ୍କା କରାଯାଉଛି । ଯେଉଁମାନଙ୍କଠାରେ କରୋନାର ଲକ୍ଷଣ ଦେଖାଦେଉଛି ସେମାନେ ମାସ୍କ ପିନ୍ଧିବା ସହିତ ଏବଂ ଘରୁ ନବାହାରିବା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ହରିୟାଣା ସରକାର ଗତକାଲି ଠାରୁ ରାଜ୍ୟରେ ସର୍ବସାଧାରଣ ସ୍ଥଳରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଥିବା ବେଳେ ହରିୟାଣା ସ୍କୁଲରେ ମଧ୍ୟ ମାସ୍କ ବାଧ୍ୟତାମୂଳକ କରାଯାଇଛି । ସେହିପରି କେରଳରେ ଗର୍ଭବତୀ ଏବଂ ବୟସ୍କଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ କରାଯାଇଛି । ପୁଡୁଚେରୀ ପ୍ରଶାସନ ବି ମାସ୍କ ବାଧ୍ୟତାମୂଳକ କରିଛନ୍ତି ।
ଦେଶରେ ଆଜି ୫,୮୮୦ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ଫଳରେ ସକ୍ରିୟ ସଂକ୍ରମଣ ୩୫ ହଜାର ଟପି ୩୫,୧୯୯ରେ ପହଞ୍ଚିଛି । ଗତ ୨୪ ଘଣ୍ଟାରେ ଦେଶରେ ୧୪ ଜଣଙ୍କ କରୋନାରେ ମୃତ୍ୟୁ ହେବା ସହ ଦେଶରେ ମୋଟ୍ ମୃତ୍ୟୁସଂଖ୍ୟା ୫୩,୦୯,୭୯ରେ ପହଞ୍ଚିଛି । ଦେଶରେ କରୋନା ମୃତ୍ୟୁହାର ୧.୧୯ ପ୍ରତିଶତ ରହିଛି । ଅନ୍ୟପକ୍ଷରେ ୪୪,୧୯୬,୩୧୮ ଜଣ କରୋନାରୁ ଆରୋଗ୍ୟ ହେବା ସହ ଦେଶରେ ଆରୋଗ୍ୟ ହାର ୯୮.୭୪ ପ୍ରତିଶତକୁ ବୃଦ୍ଧି ପାଇଛି ।
Powered by Froala Editor