ଆପ୍ ଲାଭ କଲା ଜାତୀୟ ଦଳର ମାନ୍ୟତା

ନୂଆଦିଲ୍ଲୀ: ୨୦୧୨ରେ ଆନ୍ନା ହାଜାରେଙ୍କ ଦୁର୍ନୀତି-ବିରୋଧୀ ଆନ୍ଦୋଳନରୁ ଉଦ୍ଭୂତ ଆମ୍ ଆଦମୀ ପାର୍ଟି (ଆପ୍) ସୋମବାର ଜାତୀୟ ଦଳର ମାନ୍ୟତା ଲାଭ କରିଛି । ଦିଲ୍ଲୀ, ଗୋଆ, ପଞ୍ଜାବ ଓ ଗୁଜରାଟରେ ଦଳ ଲାଭ କରିଥିବା ନିର୍ବାଚନୀ ସଫଳତାକୁ ଭିତ୍ତି କରି ନିର୍ବାଚନ କମିସନ ଏହାକୁ ଜାତୀୟ ଦଳ ମାନ୍ୟତା ପ୍ରଦାନ କରିଛନ୍ତି । ଏତେ କମ୍ ସମୟ ଭିତରେ ଆପ୍ ଜାତୀୟ ଦଳ ମାନ୍ୟତା ଲାଭ କରିଥିବାରୁ ଦଳମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଏହାକୁ ତାଙ୍କ ପାଇଁ ‘ଏକ ବିରାଟ ଦାୟିତ୍ୱ’ ଓ ‘ଏକ ଚମତ୍କାରଠାରୁ କିଛି କମ୍ ନୁହେଁ’ ବୋଲି କହିଛନ୍ତି ।
ତେବେ ପୂର୍ବରୁ ଜାତୀୟ ଦଳର ମାନ୍ୟତା ଲାଭ କରିଥିବା ଶରଦ ପାୱାରଙ୍କ ଜାତୀୟତାବାଦୀ କଂଗ୍ରେସ ଦଳ (ଏନସିପି) ଓ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ (ଟିଏମସି) ଏହି ମାନ୍ୟତା ହରାଇଛନ୍ତି । ସିପିଆଇ ମଧ୍ୟ ଏହି ମାନ୍ୟତା ହରାଇ ଏବେ ଏକ ଆଞ୍ଚଳିକ ଦଳରେ ପରିଣତ ହୋଇଛି । ଏକ ଜାତୀୟ ଦଳର ମାନ୍ୟତା ଲାଭ କରିବାକୁ ହେଲେ ଗୋଟିଏ ଦଳକୁ ଅତି କମରେ ଚାରିଟି ରାଜ୍ୟରେ ୨ ପ୍ରତିଶତ ବା ତଦୂର୍ଦ୍ଧ୍ୱ ଲୋକସଭା ଆସନ ହାସଲ ସହ ରାଜ୍ୟ ଦଳ ମାନ୍ୟତା ଅର୍ଜନ କରିବାକୁ ପଡିଥାଏ ।
ଜାତୀୟ ଦଳର ମାନ୍ୟତା ହରାଇବା ପରେ ଗୋଟିଏ ଦଳକୁ ବିଭିନ୍ନ ରାଜ୍ୟରେ ସମାନ ଚିହ୍ନରେ ନିର୍ବାଚନ ଲଢ଼ିବାର ଅଧିକାର ମିଳେ ନାହିଁ । ନିର୍ବାଚନ କମିସନଙ୍କ ଆଜିର ଘୋଷଣା ପରେ ବର୍ତ୍ତମାନ ଭାରତରେ ୬ଟି ଜାତୀୟ ଦଳ ରହିଲେ । ସେମାନେ ହେଉଛନ୍ତି- କଂଗ୍ରେସ, ବିଜେପି, ସିପିଏମ୍, ବହୁଜନ ସମାଜ ପାର୍ଟି, ନ୍ୟାସନାଲ ପିପୁଲ୍ସ ପାର୍ଟି(ଏନପିପି) ଓ ଆପ୍ । ନିର୍ବାଚନ କମିସନ ମଧ୍ୟ ଉତ୍ତରପ୍ରଦେଶରେ ଆରଏଲଡି, ଆନ୍ଧ୍ରପ୍ରଦେଶରେ ବିଆରଏସ୍, ମଣିପୁରରେ ପିଡିଏ, ପୁଡୁଚେରିରେ ପିଏମକେ, ପଶ୍ଚିମବଙ୍ଗରେ ଆରଏସପି ଏବଂ ମିଜୋରାମରେ ଏମପିସିର ରାଜ୍ୟ ଦଳ ମାନ୍ୟତା ପ୍ରତ୍ୟାହାର କରିଛନ୍ତି ।
Powered by Froala Editor