ପ୍ରଥମ ୧୦ ବିତ୍ତଶାଳୀଙ୍କ ମଧ୍ୟରେ ମୁକେଶ ଅମ୍ବାନୀ
ନୂଆଦିଲ୍ଲୀ : ଭାରତର ପ୍ରତିଷ୍ଠିତ ଶିଳ୍ପଦ୍ୟୋଗୀ ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ବିଶ୍ବର ୧୦ ପ୍ରମୁଖ ବିତ୍ତଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ତାଙ୍କ ସ୍ଥାନ ବଜାୟ ରଖିଛନ୍ତି। ବିଶ୍ବର ପ୍ରମୁଖ ଅରବପତିଙ୍କୁ ନେଇ ୨୦୨୩ ଫୋର୍ବସ ତାଲିକା ପ୍ରକାଶ କରାଯାଇଥିଲା ବେଳେ ଏଥିରେ ପ୍ରଥମ ୧୦ ବିତ୍ତଶାଳୀଙ୍କ ମଧ୍ୟରେ ମୁକେଶ ନବମ ସ୍ଥାନରେ ରହିଛନ୍ତି। ତାଙ୍କର ମୋଟ ସମ୍ପତ୍ତି ପରିମାଣ ୮୩.୪ ବିଲିୟନ ଡଲାର ରହିଛି। ଏହି ତାଲିକାରେ ପ୍ରଥମ ସ୍ଥାନରେ ରହିଛନ୍ତି ବର୍ନାଡ ଆରନଲ୍ଟ ଆଣ୍ଡ ଫ୍ୟାମିଲି। ଏଲଭିଏମଏଚ୍ ବ୍ୟାବସାୟିକ ଗୋଷ୍ଠୀର ପରିଚାଳକ ଭାବେ ଏହି ଗୋଷ୍ଠୀର ମୋଟ ସମ୍ପତ୍ତି ପରିମାଣ ସବୁଠୁ ଅଧିକ ଭାବେ ୨୧୧ ବିଲିୟନ ଡଲାର ରହିଛି।ଏହାପଛକୁ ଦ୍ବିତୀୟ ସ୍ଥାନରେ ରହିଛନ୍ତି ଏଲନ ମସ୍କ। ତାଙ୍କ ସମ୍ପତ୍ତିରେ ପୂର୍ବ ତୁଳନାରେ କିଛିଟା ହ୍ରାସ ଘଟି ଏହା ଏବେ ୧୮୦ ବିଲିୟନ ଡଲାର ରହିଛି। ସେହିପରି ତୃତୀୟ ସ୍ଥାନରେ ରହିଛନ୍ତି ଆମାଜନ ମୁଖ୍ୟ ଜେଫ୍ ବେଜୋସ୍। ତାଙ୍କ ମୋଟ ସମ୍ପତ୍ତି ପରିମାଣ ୧୧୪ ବିଲିୟନ ଡଲାର ରହିଛି। ଚତୁର୍ଥ ସ୍ଥାନରେ ଲ୍ୟାରୀ ଏଲିସନ(୧୦୭ ବିଲିୟନ ଡଲାର),ପଞ୍ଚମରେ ୱାରେନ୍ ବଫେଟ୍( ୧୦୬ ବିଲିୟନ ଡଲାର),ଷଷ୍ଠରେ ବିଲ ଗେଟ୍ସ(୧୦୪ ବିଲିୟନ ଡଲାର), ସପ୍ତମରେ ମାଇକେଲ ବ୍ଳମବର୍ଗ(୯୪.୫ ବିଲିୟନ ଡଲାର), ଅଷ୍ଟମରେ କାର୍ଲୋସ ସ୍ଲିମ୍ ହେଲୁ(୯୩ ବିଲିୟନ ଡଲାର) ଏବଂ ନବମରେ ମୁକେଶ ଅମ୍ବାନୀ(୮୩.୪ ବିଲିୟନ ଡଲାର) ଏବଂ ଦଶମରେ ଷ୍ଟିଭ୍ ବାଲମର(୮୦.୭ ବିଲିୟନ ଡଲାର) ରହିଛନ୍ତି।
ମୁକେଶ ବିଶ୍ବର ନବମ ଧନୀ ବ୍ୟକ୍ତି ବ୍ୟତୀତ ଏସିଆ ଏବଂ ଭାରତର ସବୁଠୁ ବିତ୍ତଶାଳୀ ଭାବେ ଏହି ତାଲିାକରେ ସ୍ଥାନିତ ହୋଇଛନ୍ତି। ମୁକେଶଙ୍କ ବ୍ୟତୀତ ଫୋର୍ବସ ତାଲିକାରେ ଆଉ ୧୬୮ ଜଣ ଅରବପତି ସ୍ଥାନ ପାଇଛନ୍ତି। ସେମାନଙ୍କ ମଧ୍ୟରେ ଗୌତମ ଆଦାନୀ(୪୭.୨ ବିଲିୟନ ଡଲାର), ଶିବ ନାଦର(୨୫.୬ ବିଲିୟନ ଡଲାର), ସାଇରସ ପୁନାୱାଲା(୨୨.୬ ବିଲିୟନ ଡଲାର), ଲକ୍ଷ୍ମୀ ମିତ୍ତଲ(୧୭.୭ ବିଲିୟନ ଡଲାର) ଏବଂ ସାବିତ୍ରୀ ଜିନ୍ଦଲ (୧୭.୫ ବିଲିୟନ ଡଲାର) ରହିଛନ୍ତି।
Powered by Froala Editor