୩୧ରେ ଆହୁରି ଅଧିକ ହୋଇପାରେ ବର୍ଷା ପ୍ରଭାବ

ଭୁବନେଶ୍ୱର : ଆସୁଛି ଆଉ ଏକ ପଶ୍ଚିମା ଝଡ଼। ବର୍ତ୍ତମାନ ରାଜ୍ୟ ଉପରେ ଗୋଟିଏ ପଶ୍ଚିମା ଝଡ଼ ସକ୍ରିୟ ରହିଛି। ଏହା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ଜାରି ରହିଛି। ୩୧ରେ ବର୍ଷା ପ୍ରଭାବ ଆହୁରି ଅଧିକ ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି। ତେବେ ଏହା ପରେଆସନ୍ତା ୨ ତାରିଖ ବେଳକୁ ଆଉ ଏକ ନୂଆ ପଶ୍ଚିମା ଝଡ଼ ଭାରତର ଉତ୍ତର-ପଶ୍ଚିମ ଭାଗକୁ ପ୍ରଭାବିତ କରିବ। ସମ୍ଭବତଃ ୪ ତାରିଖ ବେଳକୁ ଏହା ଓଡ଼ିଶା ଉପରେ ପ୍ରଭାବ ପକାଇପାରେ। ତେଣୁ ଗୋଟିଏ ପର୍ୟ୍ୟାୟ ବର୍ଷା ଯିବା ପରେ ପୁଣି ଏକ ନୂଆ ପର୍ୟ୍ୟାୟ ବର୍ଷା ସୃଷ୍ଟି ହେବା ନେଇ ଆଶଙ୍କା ଦେଖା ଦେଇଛି। ଅନ୍ୟପଟେ ବୁଧବାର ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହୋଇଛି।
ଗୁରୁବାର ବର୍ଷାର ପ୍ରକୋପ ବଢ଼଼ିବା ସହିତ ଅନେକ ସ୍ଥାନରେ ପବନର ବେଗ ୩୦-୪୦ କିମି ପର୍ୟ୍ୟନ୍ତ ପହଞ୍ଚିବାର ଆଶଙ୍କା ରହିଛି। ଗୁରୁବାର ନୂଆପଡ଼ା, ବରଗଡ଼, ବଲାଙ୍ଗିର, ସୋନପୁର, ସମ୍ବଲପୁର, ଝାରସୁଗୁଡ଼ା, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଭଦ୍ରକ ଓ ବାଲେଶ୍ୱରରେ ବର୍ଷାର ପ୍ରକୋପ ଅଧିକ ରହିପାରେ। ଏହାକୁ ଦୃଷ୍ଟିରେ ରଖି ଏହି ଜିଲ୍ଲାଗୁଡ଼ିକ ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ଆଲର୍ଟ ଜାରି ହୋଇଛି। ସେହିପରି ଶୁକ୍ରବାର ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର, ଭଦ୍ରକ, ଅନୁଗୁଳ, ଢେଙ୍କାନାଳ, କଟକ ଓ କେନ୍ଦ୍ରପାଡ଼ା ଆଦିରେ ପ୍ରବଳ ବର୍ଷା ସହ ପବନର ବେଗ ୪୦-୫୦ କିମି ରହିବ ବୋଲି ପାଣିପାଗ କେନ୍ଦ୍ର କହିଛି। ସେହିଦିନ ସର୍ବାଧିକ ପ୍ରଭାବ ଆଶଙ୍କା କରି ପାଣିପାଗ କେନ୍ଦ୍ର ଏହି ଜିଲ୍ଲାଗୁଡ଼ିକ ପାଇଁ ଅରେଞ୍ଜ ଆଲର୍ଟ ଜାରି କରିଛି।
Powered by Froala Editor