ଗୃହମନ୍ତ୍ରୀଙ୍କୁ ସମନ ଜାରି କରିବା ପାଇଁ ସିବିଆଇ ମୁଖ୍ୟଙ୍କୁ ପତ୍ର ଲେଖିଲେ ଜୟରାମ ରମେଶ

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ସମନ ଜାରି କରିବା ସହ ପଚରାଉଚରା ପାଇଁ ସିବିଆଇ ମୁଖ୍ୟଙ୍କୁ ପତ୍ର ଲେଖିଛନ୍ତି କଂଗ୍ରେସର ସାଧାରଣ ସମ୍ପାଦକ ଜୟରାମ ରମେଶ। କିଛିଦିନ ତଳେ ଗତଥରର ମେଘାଳୟ ସରକାରକୁ ଦୁର୍ନୀତିଗ୍ରସ୍ତ ବୋଲି ଅମିତ ଶାହା ଦର୍ଶାଇଥିଲେ। ଶାହାଙ୍କ ଏପରି ମନ୍ତବ୍ୟରେ କେତେ ସତ୍ୟତା ରହିଛି ସେ ସମ୍ପର୍କରେ ତଦନ୍ତ କରିବାକୁ ଜୟରାମ ସିବିଆଇ ମୁଖ୍ୟଙ୍କୁ ପତ୍ର ଲେଖିଛନ୍ତି। ପତ୍ରରେ ଜୟରାମ ଦର୍ଶାଇଛନ୍ତି ଗତ ଫେବୃଆରୀ ୧୭ରେ ଅମିତ ଶାହା ଏକ ସାଧାରଣ ସଭାରେ ଉଦ୍ବୋଧନ ଦେବା ବେଳେ ଗତଥରର ମେଘାଳୟ ସରକାରଙ୍କୁ ଦେଶର ସବୁଠାରୁ ଦୁର୍ନୀତିଗ୍ରସ୍ତ ସରକାର ବୋଲି ଦର୍ଶାଇଥିଲେ। ଅମିତ ଶାହା ଦେଶର ଗୃହ ମନ୍ତ୍ରୀ ଥିବାରୁ ସେ ବିଭିନ୍ନ ସୂତ୍ରରୁ ଖବର ପାଇ ଏପରି ମନ୍ତବ୍ୟ ଦେଇଥିବେ। ତେବେ ଦୁର୍ନୀତିଗ୍ରସ୍ତ ମେଘାଳୟ ସରକାର ବିରୋଧରେ ଶାହା କୌଣସି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ। ତେଣୁ ଦେଶର ହିତ ପାଇଁ ସିବିଆଇ ତରଫରୁ ଶାହାଙ୍କୁ ସମନ ଜାରି କରାଯିବା ସହ ମେଘାଳୟ ସରକାରଙ୍କ ଦୁର୍ନୀତି ସମ୍ପର୍କରେ ସେ କ’ଣ ଜାଣିଛନ୍ତି ସେ ନେଇ ପଚରାଉଚରା କରାଯିବା ଉଚିତ। ସେହିପରି ମେଘାଳୟ ସରକାରର ଦୁର୍ନୀତି ସମ୍ପର୍କରେ ଜାଣି ମଧ୍ୟ ଚୁପ୍ ରହିବାକୁ ନେଇ ଶାହାଙ୍କ ଉପରେ କୌଣସି ପ୍ରକାର ଚାପ ପଡ଼ିଥିଲା କି ନାହିଁ ତାହାର ତଦନ୍ତ ହେବା ଆବଶ୍ୟକ।
Powered by Froala Editor