ଏଲୋପାଥି ମନ୍ତବ୍ୟରୁ ଓହରିଲେ ବାବା ରାମଦେବ
ଯୋଗଗୁରୁ ବାବା ରାମଦେବ ଏଲୋପାଥି ଚିକିତ୍ସାକୁ କଟୂଭାଷାରେ ସମାଲୋଚନା କରିଥିଲେ। ସମସ୍ତ ଏଲୋପାଥିକ ଔଷଧ ବିଫଳ ହୋଇଛି। ଜ୍ୱର ପାଇଁ ମଧ୍ୟ ଔଷଧ କାମ କରୁନାହିଁ। ଔଷଧ ଶରୀରର ତାପମାତ୍ରାକୁ ହ୍ରାସ କରିଥାଏ, କିନ୍ତୁ ଜ୍ୱର କାହିଁକି ଆସୁଛି, ଏହାକୁ ରୋକାଯାଇପାରିବ ନାହିଁ। ଏଲୋପାଥିକ ଔଷଧ ଖାଇବା କାରଣରୁ ଲକ୍ଷ ଲକ୍ଷ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି ବୋଲି ସେ କହିଥିଲେ।
ଏହାକୁ ନେଇ ଆପତ୍ତି ଉଠାଇଥିଲା ଇଣ୍ଡିଆନ୍ ମେଡିକାଲ ଆସୋସିଏସନ। ତୁରନ୍ତ ସରକାର ରାମଦେବଙ୍କୁ ଗିରଫ କରିବା ଦରକାର ବୋଲି ଆଇଏମଏ ଦାବି କରିଥିଲା। ଏହାପରେ ଯୋଗଗୁରୁ ରାମଦେବ ଏବଂ ଆଇଏମଏ ମଧ୍ୟରେ ବିବାଦ ବଢୁଥିବା ଦେଖି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ହସ୍ତକ୍ଷେପ କରିଛନ୍ତି। ସେ କହିଛନ୍ତି ରାମଦେବଙ୍କ ଏପରି ମନ୍ତବ୍ୟ କରୋନା ବେଳେ ଦେବଦୂତ ସାଜିଥିବା ଡାକ୍ତରଙ୍କୁ ଅପମାନ ଜନକ। ଏପରି ଭାଷା କେବେ ଗ୍ରହଣୀୟ ନୁହେଁ। ରାମଦେବ ନିଜ ମତକୁ ନେଇ ପଶ୍ଚାତାପ କରିବା ଦରକାର ବୋଲି ସେ କହିଛନ୍ତି।
କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନ ରବିବାର ଯୋଗ ଗୁରୁ ରାମଦେବଙ୍କୁ ଏକ ଚିଠି ଲେଖିଥିଲେ। କରୋନା ଯୋଦ୍ଧାମାନଙ୍କ ବିରୋଧରେ ଦେଇଥିବା 'ଆପତ୍ତିଜନକ ମନ୍ତବ୍ୟ'କୁ ପ୍ରତ୍ୟାହାର କରିବାକୁ ସେ ଚିଠିରେ ଉଲ୍ଲେଖ କରିଥିଲେ। ପରେ ରାମଦେବ ଟ୍ୱିଟ୍ କରି ନିଜର ମନ୍ତବ୍ୟରୁ ସେ ଓହରିଛନ୍ତି ।
ଟ୍ୱିଟ୍ କରି ରାମଦେବ କହିଛନ୍ତି, ମୋର ମତକୁ ନେଇ ଯେଉଁ ବିବାଦ ଉପୁଜିଛି ଏଥିରେ ଫୁଲଷ୍ଟାପ ପକାଇବାକୁ ଯାଇ ମୁଁ ମୋର ମନ୍ତବ୍ୟରୁ ଓହରୁଛି। ଯେଉଁ ମନ୍ତବ୍ୟ ଏଲୋପାଥି ଚିକିତ୍ସା ପାଇଁ ଦେଇଛନ୍ତି ସେଥିପାଇଁ ସେ ଅନୁତପ୍ତ ବୋଲି କହିଛନ୍ତି। ଏଥିସହ ହର୍ଷବର୍ଦ୍ଧନଙ୍କୁ ଏକ ଚିଠି ପଠାଇଛନ୍ତି ରାମଦେବ।
Powered by Froala Editor