ଓଲଟା ଚାଲନ୍ତୁ, ମିଳିବ ଅନେକ ଫାଇଦା
ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ବ୍ୟାୟାମ ସମସ୍ତଙ୍କ ପାଇଁ ଜରୁରି । କାରଣ ଅଧିକାଂଶ ଲୋକେ ଏବେ କୌଣସି ଶାରୀରିକ ପରିଶ୍ରମ କରୁନାହାନ୍ତି । ତେଣୁ ଏହାକୁ ଦୈନିକ ରୁଟିନ୍ରେ ସାମିଲ କରିବାକୁ ଡାକ୍ତର ପରାମର୍ଶ ଦେଉଛନ୍ତି । ଅତି କମ୍ରେ ପ୍ରତିଦିନ ୩୦ ମିନିଟ୍ ଯୋଗ, ପ୍ରାଣାୟମ୍ କରିବାକୁ ବିଶେଷଜ୍ଞ କହୁଛନ୍ତି । ଆଉ ସବୁଠାରୁ ଉପକାରୀ ହେଉଛି ଚାଲିବା । ଏହାଦ୍ୱାରା ପ୍ରତ୍ୟେକ ଅଙ୍ଗପ୍ରତ୍ୟଙ୍ଗ ସଞ୍ଚାଳନ ହୋଇଥାଏ । ତେବେ ସବୁଠାରୁ ଅଧିକ ଲାଭଦାୟକ ହେଉଛି ଓଲଟା ଚାଲିବା । ଏହା ଅନେକ ପ୍ରକାର ଫାଇଦା ଦେଇଥାଏ ବୋଲି ଏକ ଅନୁସନ୍ଧାନରୁ ଜଣାପଡ଼ିଛି ।
ବିଶେଷଜ୍ଞ ମାନଙ୍କର କହିବା ଅନୁସାରେ, ୧୦୦୦ ପାଦ ଆଗକୁ ଚାଲିବା ସହ ସମାନ ହୋଇଥାଏ ୧୦୦ ପାଦ ଓଲଟା ଚାଲିବା । ଏହାଦ୍ୱାରା ଆମ ମସ୍ତିଷ୍କ ସହ ଅନ୍ୟ ଅଙ୍ଗ ପ୍ରତ୍ୟଙ୍ଗ ଗୁଡିକ ସମନ୍ୱୟ ରଖିବା ପାଇଁ ଅପେକ୍ଷାକୃତ ଅଧିକ ସମୟ ଲାଗିଥାଏ । ଫଳରେ ମସ୍ତିଷ୍କକୁ ସାଧାରଣଠାରୁ ଅଧିକ ସକ୍ରିୟ ରହିବା ପାଇଁ ପଡିଥାଏ । ଚକ୍ଷୁ ସହ ଅନ୍ୟ ଅଙ୍ଗ ଗୁଡି଼କର ସମନ୍ୱୟ ରକ୍ଷା କରିବା ପାଇଁ ଅଧିକ ରକ୍ତ କଣିକା ଆବଶ୍ୟକ ହୋଇଥାଏ । ଯାହା କି ଶରୀରର ସ୍ଥିରତା ଓ ସନ୍ତୁଳନ ଉପରେ ଉନ୍ନତି ଆଣିଥାଏ । ଓଲଟା ଚାଲିବା ଦ୍ୱାରା ବୟସ୍କ ବ୍ୟକ୍ତିମାନଙ୍କ ସ୍ଥିରତା ଆସିଥାଏ । ଆଣ୍ଠୁରେ ଅଷ୍ଟିଓଆର୍ଥ୍ରାଇସିସ୍ ଥିବା ରୋଗୀଙ୍କ ପାଇଁ ଏହା ଲାଭଦାୟକ । ପଛକୁ ଚାଲିବା ଦ୍ୱାରା ଅପେକ୍ଷାକୃତ ଛୋଟ ପାହୁଣ୍ଡ ପଡି଼ଥାଏ ଫଳରେ ଆଣ୍ଠୁ ଗଣ୍ଠି ଉପରେ କମ୍ ଚାପ ପଡି଼ବା ସହ ତଳ ଗୋଡ଼ର ମାଂସପେଶୀ ସକ୍ରିୟ ହୋଇଥାଏ ।
ପଛୁଆ ଚାଲିବା ଦ୍ୱାରା ଶରୀରର ଅଙ୍ଗ ଗୁଡି଼କର ସଞ୍ଚାଳନ ପ୍ରକ୍ରିୟାରେ ପରିବର୍ତ୍ତନ ଆସିଥାଏ । ଆଣ୍ଠୁ ଦରଜ ଥିବା ବ୍ୟକ୍ତିଙ୍କ ପାଇଁ ଏହା ବେଶ୍ ଲାଭଦାୟକ ବ୍ୟାୟାମ । ଏହାଛଡା଼ ସ୍ନାୟୁଗତ ରୋଗୀଙ୍କ ସନ୍ତୁଳନ ଓ ଚିକିତ୍ସା ପାଇଁ ମଧ୍ୟ ଓଲଟା ଚାଲିବା ପାଇଁ ଡାକ୍ତରମାନେ ପରାମର୍ଶ ଦିଅନ୍ତି । ତେଣୁ ପ୍ରତ୍ୟେକ ବ୍ୟକ୍ତି କିଛି ସମୟ ଓଲଟା ଚାଲିବା ଜରୁରି ବୋଲି ଡାକ୍ତରମାନେ କହିଛନ୍ତି ।
Powered by Froala Editor