ପୃଥିବୀର ୫୦ଟି ସର୍ବଶ୍ରେଷ୍ଠ ସ୍ଥାନ ତାଲିକାରେ ସ୍ଥାନ ପାଇଛି ମୟୂରଭଞ୍ଜ
ବାରିପଦା: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜନ୍ମମାଟି ମୟୂରଭଞ୍ଜରେ ଥିବା ଶିମିଳିପାଳ, ବିଶ୍ୱବିଖ୍ୟାତ ଛଉନୃତ୍ୟ ଓ ଅନ୍ୟାନ୍ୟ ବହୁ ପ୍ରସଙ୍ଗରେ ମୟୂରଭଞ୍ଜବାସୀ ନିଜକୁ ଗର୍ବିତ ଅନୁଭବ କରୁଥିବା ବେଳେ ଟାଇମ୍ ମାଗାଜିନ୍ ପକ୍ଷରୁ ସଦ୍ୟ ପ୍ରକାଶିତ ରିପୋର୍ଟରେ ପୃଥିବୀର ୫୦ଟି ସର୍ବଶ୍ରେଷ୍ଠ ସ୍ଥାନ ତାଲିକାରେ ମୟୂରଭଞ୍ଜ ସ୍ଥାନ ପାଇବା ଜିଲ୍ଲାବାସୀଙ୍କ ପାଇଁ ଗର୍ବ ଏବଂ ଗୌରବର ବିଷୟ ପାଲଟିଛି । ଟାଇମ୍ ମାଗାଜିନ୍ରେ ପ୍ରକାଶିତ ଏକ ରିପୋର୍ଟ ମୁତାବକ ବିଶ୍ୱର ଉତ୍କୃଷ୍ଟ ସ୍ଥାନ ତାଲିକାରେ ଭାରତରେ ଥିବା ଓଡ଼ିଶାର ମୟୂରଭଞ୍ଜ ଏକ ଅସାଧାରଣ ସ୍ଥାନ ବୋଲି କୁହାଯାଇଥିବା ବେଳେ ଭାରତର ଲଦାଖ ମଧ୍ୟ ଏହି ତାଲିକାରେ ରହିଛି ।
ଟାଇମ୍ ମାଗାଜିନ୍ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁଯାୟୀ ସମଗ୍ର ପୃଥିବୀରେ ୫୦ଟି ସ୍ଥାନ ପରିଚିହ୍ନିତ ହୋଇଥିବା ବେଳେ ସେଥିରେ ମୟୂରଭଞ୍ଜ ନାଁ ରହିଛି । ରିପୋର୍ଟରେ କୁହାଯାଇଛି ଯେ, ମୟୂରଭଞ୍ଜର ବିଶ୍ୱ ବିଖ୍ୟାତ ଶିମିଳିପାଳ ଜୈବମଣ୍ଡଳ ଏବଂ ଅଭୟାରଣ୍ୟ, ଏଠାକାର ଜୈବବିବିଧତା ସାଙ୍ଗକୁ ଏଠାକାର ବିରଳ କଳାବାଘ ପୁଣି ୟୁନେସ୍କୋ ଦ୍ୱାରା ପରିଚିହ୍ନିତ ବିଶ୍ୱ ବିଖ୍ୟାତ ଛଉନୃତ୍ୟ, ଐତିହାସିକ କଳାକୃତି ସାଙ୍ଗକୁ ପ୍ରତ୍ନତାତ୍ତ୍ୱିକ ବିଭବର ସମ୍ଭାରରେ ଭରପୁର ମନ୍ଦିର କଳା, ପିତ୍ତଳରେ ତିଆରି କରାଯାଉଥିବା ଅସାଧାରଣ କଳାକାରିଗରୀର ନମୁନା (ଢୋକ୍ରା ଶିଳ୍ପ), ସବାଇଘାସର ଶିଳ୍ପ କଳା, ହସ୍ତ ତନ୍ତ ଏମିତି ଅନେକ କିଛି ରହିଥିବା ବେଳେ ବେଲଗଡ଼ିଆ ସ୍ଥିତ ପେଲେସର ମନଲୋଭା ସୌନ୍ଦର୍ୟ୍ୟ ମୟୂରଭଞ୍ଜକୁ ପୃଥିବୀର ସର୍ବଶ୍ରେଷ୍ଠ ସ୍ଥାନର ମର୍ୟ୍ୟାଦା ଦେଇଛି ।
Powered by Froala Editor