ଭାରତରେ ଆରମ୍ଭ ହେବ ସ୍ପୁଟନିକ-ଭି ଟିକାର ଉତ୍ପାଦନ

ନୂଆଦିଲ୍ଲୀ: ଭାରତରେ ଆସନ୍ତା ଅଗଷ୍ଟ ମାସରୁ ସ୍ପୁଟନିକ-ଭି ଟିକାର ଉତ୍ପାଦନ ଆରମ୍ଭ ହେବ । ଭାରତରେ ୮୫ କୋଟି ଟିକା ଉତ୍ପାଦନ ହେବ । ବିଶ୍ୱରେ ଉତ୍ପାଦନ ହେବାକୁ ଥିବା ମୋଟ ସ୍ପୁଟନିକ-ଭି ଟିକାର ୬୫ରୁ ୭୦ ପ୍ରତିଶତ ଟିକା ଭାରତରେ ପ୍ରସ୍ତୁତ ହେବ । ରୁଷିଆରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ଡି ବି ଭେଙ୍କଟେଶ ବର୍ମା ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ବର୍ମା ଏହି ଅବସରରେ ସ୍ପୁଟନିକ ଭି ଟିକା ଉତ୍ପାଦନ, ଏସ-୪୦୦ ମିସାଇଲ ଏବଂ ଭାରତରେ କରୋନା ସ୍ଥିତି ସଂପର୍କରେ ସାମ୍ବାଦିକମାନଙ୍କୁ ସୂଚନା ଦେଇଛନ୍ତି । ରୁଷିଆ ପକ୍ଷରୁ ବର୍ତ୍ତମାନ ସୁଦ୍ଧା ଭାରତକୁ ଦୁଇଟି ପର୍ଯ୍ୟାୟରେ ୨ ଲକ୍ଷ ୧୦ ହଜାର ଡୋଜ୍ ସ୍ପୁଟନିକ ଭି ଟିକା ଯୋଗାଇ ଦିଆଯାଇଛି । ପ୍ରଥମ ପର୍ଯ୍ୟାୟରେ ଦେଢ଼ ଲକ୍ଷ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ୬୦ ହଜାର ଡୋଜ୍ ଟିକା ଦିଆଯାଇଛି । ଏଥିସହିତ ଚଳିତମାସ ଶେଷ ସୁଦ୍ଧା ରୁଷିଆ ଭାରତକୁ ଆଉ ୩୦ ଲକ୍ଷ ଡୋଜ ସ୍ପୁଟନିକ-ଭି ଟିକା ଯୋଗାଇ ଦେବ । ଏହି ଟିକାଗୁଡ଼ିକୁ ଭାରତରେ ଭର୍ତ୍ତି କରାଯିବ । ଏହାକୁ ଫିଲ ଆଣ୍ଡ ଫିନିସ କୁହାଯାଉଛି । ଜୁନରେ ଏହି ସଂଖ୍ୟା ୫୦ ଲକ୍ଷକୁ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ତେବେ ଅଗଷ୍ଟରୁ ଭାରତରେ ଉକ୍ତ ଟିକାର ଉପôାଦନ ଆରମ୍ଭ ହେବ ବୋଲି ବର୍ମା କହିଛନ୍ତି । ବର୍ତ୍ତମାନର ଯୋଜନା ଅନୁଯାୟୀ, ଭାରତରେ ୮୫ କୋଟି ଟିକା ଉତ୍ପାଦନ କରାଯିବ । ତେଣୁ ବିଶ୍ୱରେ ଉତ୍ପାଦନ ହୋଇଥିବା ମୋଟ ସ୍ପୁଟନିକ ଟିକାରୁ ୬୫ରୁ ୭୦ ପ୍ରତିଶତ ଟିକା ଭାରତ ନିର୍ମିତ ହେବ ବୋଲି ସେ କହିଛନ୍ତି । ସ୍ପୁଟନିକର ସିଙ୍ଗଲ ଡୋଜ୍ ଟିକା ସଂପର୍କରେ ସୂଚନା ଦେଇ ବର୍ମା କହିଛନ୍ତି, ରୁଷିଆ ପକ୍ଷରୁ ଏନେଇ ପ୍ରସ୍ତାବ ଦିଆଯାଇଛି ଏବଂ ଉଭୟ ଦେଶ ଆଲୋଚନା ଜାରି ରଖିଛନ୍ତି ।
Powered by Froala Editor