୧୦ ଦିନ ପାଇଁ ସିଲ୍ ହେଲା ଭୁବନେଶ୍ୱରର ତରୁ ଆପାର୍ଟମେଣ୍ଟ

ଏକାଧିକ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ରାଜଧାନୀ ଭୁବନେଶ୍ୱରର ଏକ ଆପାର୍ଟମେଣ୍ଟ୍କୁ ସିଲ୍ କରିଛି ପ୍ରଶାସନ । ଟଙ୍କ ପାଣି ରୋଡ୍ ସ୍ଥିତ ତରୁ ଆପାର୍ଟମେଣ୍ଟ ସିଲ୍ ହୋଇଥିବା ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ । ଆଜିଠାରୁ ୧୬ ତାରିଖ ପର୍ଯ୍ୟନ୍ତ ପ୍ରାୟ ୧୦ ଦିନ ଏହି ସିଲ୍ ବଳବତ୍ତର ରହିବ । ଆପାର୍ଟମେଣ୍ଟ୍ ଭିତରୁ କେହି ବାହାରକୁ ଆସିପାରିବେ ନାହିଁ । ସେହିପରି ବାହାରୁ କେହି ଆପାର୍ଟମେଣ୍ଟ୍ ଭିତରକୁ ଯାଇପାରିବେ ନାହିଁ । କେବଳ ସ୍ୱୀକୃତି ଦିଆଯାଇଥିବା ମହାନଗର ନିଗମ ଅଧିକାରୀ ଭିତରକୁ ଯାଇପାରିବେ ବୋଲି ଏକ ବିଜ୍ଞପ୍ତି ଜାରି କରି ନିଗମ ଜଣାଇଛନ୍ତି । ଆକ୍ରାନ୍ତଙ୍କ ଅଧିକ ଚିକିତ୍ସା ଦରକାର ପଡ଼ିଳେ ବିଏମ୍ସି ଅଧିକାରୀଙ୍କୁ ଜଣାଇବେ। ଜରୁରୀ ହେଲେ ଆପାର୍ଟମେଣ୍ଟ ସୋସାଇଟି ବିଏମ୍ସିକୁ ଫୋନ୍ କରି ଜଣାଇବେ। ଏଥି ସହିତ ଆପାର୍ଟମେଣ୍ଟରେ ରହୁଥିବା ଲୋକଙ୍କୁ ରାଜ୍ୟ ସରକାରଙ୍କ କୋଭିଡ ମାର୍ଗଦର୍ଶିକା ପାଳନ କରିବାକୁ ପରାମର୍ଶ ଦିଆଯାଇଛି। ସୂଚନାଯୋଗ୍ୟ, ସମଗ୍ର ରାଜ୍ୟ ସମେତ ଭୁବନେଶ୍ବର ମହାନଗର ନିଗମ ଅଂଚଳରେ ପୁଣି ଥରେ କରୋନା ଭାଇରସ ସଂକ୍ରମଣ ବ୍ୟାପି ଚାଲିଛି।