ଏବେ ୧୫ ମିନିଟରେ ମିଳିବ କୋଭିଡ ରିପୋର୍ଟ

ଭୁବନେଶ୍ୱର : କୋଭିଡ ପରୀକ୍ଷା ରିପୋର୍ଟ ପାଇଁ ବର୍ତ୍ତମାନ ୨ରୁ ୭ ଦିନ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ୁଛି । ଏଥିଯୋଗୁଁ କୋଭିଡ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏହିଭଳି ସ୍ଥିତିରେ ସମସ୍ତଙ୍କ ପାଇଁ ଆଶ୍ୱସ୍ତିର ଖବର ଆସିଛି । ତାହା ହେଲା ଘରେ ରହି ମଧ୍ୟ ଜଣେ କୋଭିଡ ପରୀକ୍ଷା କରି ୧୫ ମିନିଟରେ ରିପୋର୍ଟ ଜାଣିପାରିବେ । ଏଥିପାଇଁ ଡାକ୍ତରଙ୍କ ପରାମର୍ଶରେ ମାତ୍ର ୨୫୦ ଟଙ୍କାରେ କିଟ ନିକଟସ୍ଥ ଫାର୍ମାସିରୁ କ୍ରୟ କରିବାକୁ ପଡ଼ିବ । ଆଇସିଏମଆର ପକ୍ଷରୁ ମାଇଁ ଲ୍ୟାବ କୋଭିଡ-୧୯କୁ ଅନୁମୋଦନ ଦିଆଯିବା ପରେ ଏହା ସମ୍ଭବ ହେବ ବୋଲି ଆଶା ରହିଛି । ଏହି କିଟକୁ ଭାରତରେ ବିକଶିତ କରାଯାଇଛି, ଏହାର ନାମ କୋଭି ସେଲଫ ରଖାଯାଇଛି । କୌଣସି ବ୍ୟକ୍ତିଙ୍କ କରୋନା ଲକ୍ଷଣ ଥିବ କିମ୍ବା କୌଣସି ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବେ ସେ ଏହାର ବ୍ୟବହାର କରିପାରିବେ । ଏଥିରେ ନମୁନା ସଂଗ୍ରହ ପାଇଁ ସ୍ୱାସ୍ଥ୍ୟ କର୍ମୀଙ୍କ ଆବଶ୍ୟକତା ପଡ଼ିବ ନାହିଁ । କୋଭିଡ ପରୀକ୍ଷା ପାଇଁ ବ୍ୟବହୃତ ଏହି କିଟରେ ସବୁ ପ୍ରକାର ପରୀକ୍ଷା ଉପକରଣ ଥିବ । ଏଥିସହିତ ଏହାର ବ୍ୟବହାର କିଭଳି ହୋଇ ପାରିବ ତାର ଏକ ସୂଚନା ପତ୍ରିକା ମଧ୍ୟ ରହିବ । ଏଥିସହିତ ସ୍ୱତନ୍ତ୍ର ବ୍ୟାଗ ରହିବ ଯାହା ଜରିଆରେ ଟେଷ୍ଟିଂ ଉପକରଣକୁ ସୁରକ୍ଷିତ ଭାବରେ ନଷ୍ଟ କରାଯାଇ ପାରିବ । କୋଭି ସେଲଫ ପରୀକ୍ଷା ପରେ ନେଗେଟିଭ ରିପୋର୍ଟ ଆସିଲେ ମଧ୍ୟ ବ୍ୟକ୍ତି ଜଣକଙ୍କ ଲକ୍ଷଣ ଥିଲେ ଆବଶ୍ୟକ ସ୍ୱାସ୍ଥ୍ୟ ପରାମର୍ଶ ନେଇ ପାରିବେ । କୋଭିଡ ପରୀକ୍ଷା ନେଇ ଲୋକେ ଯେଉଁଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି କୋଭି ସେଲଫ ଜରିଆରେ ଏହାର ସମାଧାନ ହୋଇ ପାରିବ । ମାଇଁ ଲ୍ୟାବ ଡିସକଭରି ସଲୁ୍ୟସନର ପରିଚାଳନା ନିର୍ଦେଶକ ହସମୁଖ ରାୱଲ କହିଛନ୍ତି, ସାମାନ୍ୟ ମୂଲ୍ୟରେ ଏହିଭଳି କିଟ ତିଆରି ହେବ । ଏହି ପ୍ରକ୍ରିୟାରେ ସ୍ୱଚ୍ଛତା ଅବଲମ୍ବନ ପାଇଁ ଜଣେ ବ୍ୟକ୍ତି ନିଜର କୋଭିଡ ପରୀକ୍ଷା ପରେ ମାଇଁ ଲ୍ୟାବ ଅଲପାୱାର ମୋବାଇଲ ଆପ ଜରିଆରେ ଆଇସିଏମଆରକୁ ତାଙ୍କର କୋଭିଡ ପରୀକ୍ଷା ରିପୋର୍ଟ ପଠାଇପାରିବେ । ଏହି ଛୋଟ ପଦକ୍ଷେପ ଦ୍ୱିତୀୟ ଲହର ମୁକାବିଲାରେ ବଡ଼ ଲମ୍ପ ହେବ ବୋଲି କହିଛନ୍ତି ମାଇ ଲ୍ୟାବ ଡିସକଭରି ସଲୁ୍ୟସନର ଅନ୍ୟତମ ପରିଚାଳନା ନିର୍ଦେଶକ ସୁଜିତ ଜୈନ ।
Powered by Froala Editor