'ୟଶ’ ପାଇଁ ଡାକ୍ତରଙ୍କ ଛୁଟି ବାତିଲ

ଭୁବନେଶ୍ୱର: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ଆଣ୍ଡାମାନ ସଂଲଗ୍ନ ଅଞ୍ଚଳରେ ଶୁକ୍ରବାର ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଶନିବାର ଲଘୁଚାପର ରୂପ ନେଇଥିଲା । ତେବେ ଉକ୍ତ ଲଘୁଚାପ ଆଜି ୱେଲମାର୍କଡରେ ପରିଣତ ହୋଇଛି । ଆସନ୍ତା ୧୨ ଘଣ୍ଟାରେ ୱେଲମାର୍କଡ ଲୋ ପ୍ରେସର ଅବପାତ ରୂପ ନେବ । ଉତ୍ତର, ଉତ୍ତର-ପଶ୍ଚିମ ଦିଗକୁ ଗତି କରି ୨୪ ତାରିଖରେ ସାମୁଦ୍ରିକ ଝଡ଼ ରୂପ ନେବ । ପରବର୍ତ୍ତୀ ୨୪ ଘଣ୍ଟାରେ ଅତି ଭୀଷଣ ବାତ୍ୟାରେ ପଣିଣତ ହେବ । ତେବେ ଏହାରି ଭିତରେ ରାଜଧାନୀକୁ ‘ୟାସ୍’ ବିପଦ ଘାରିଲାଣି । ଭୁବନେଶ୍ୱରରେ ବାତ୍ୟାର ପ୍ରଭାବ ଆଶଙ୍କା କରି ବିଏମ୍ସି ଆଗୁଆ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଅଗ୍ନିଶମ ବିଭାଗ, ୱାଟ୍କୋ, ପୁଲିସ, ଟାଟା ପାୱାର ଓ ବିଏମ୍ସି ଅଧିକାରୀଙ୍କୁ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସହରରେ ଜଳ ନିଷ୍କାସନରେ ଗୁରୁତର ସମସ୍ୟା ହେଉଥିବା ୨୭ ସମ୍ବେଦନଶୀଳ ସ୍ଥାନ ଚିହ୍ନଟ କରାଯାଇଛି । ଏହି ଅଞ୍ଚଳକୁ ଫୋକସ୍ କରିବାକୁ ନିଷ୍ପତ୍ତି ହୋଇଛି ।
ଅନ୍ୟପକ୍ଷରେ ବାତ୍ୟା ସମୟରେ କୋଭିଡ ହସ୍ପିଟାଲ ଓ କୋଭିଡ କେୟାର ସେଣ୍ଟରକୁ ରୋଗୀ ସ୍ଥାନାନ୍ତର ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନିଆଯିବ । ହୋମ୍ ଆଇସୋଲେସନ୍ରେ ଥିବା ରୋଗୀଙ୍କୁ ମଧ୍ୟ ସମସ୍ତ ଜରୁରୀ ସେବା ଯୋଗାଇ ଦିଆଯିବ । ତେବେ ବାତ୍ୟା ସମୟରେ କୋଭିଡ୍ ମୁକାବିଲା ଜାରି ରଖିବା ନେଇ ସ୍ୱାସ୍ଥ୍ୟ ବିଭାଗ ଓ ବିଏମ୍ସି କୋଭିଡ୍ ସେଲ୍ ଡେପୁଟି କମିଶନର ମିଶି ଯୋଜନା ପ୍ରସ୍ତୁତ କରିବେ । ବାତ୍ୟା ପରେ ବିଏମ୍ସି ଅଧୀନରେ କାର୍ୟ୍ୟରତ ସମସ୍ତ ମେଡିକାଲ କର୍ମଚାରୀ ଓ ଡାକ୍ତର ୨୪ ଘଣ୍ଟିଆ ଡ୍ୟୁଟି ପାଇଁ ଉପଲବ୍ଧ ହେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ସମୟ ପାଇଁ ସମସ୍ତଙ୍କର ଛୁଟି ବାତିଲ କରାଯାଇଛି ।
Powered by Froala Editor