ସୁଟିଂ ସେଟ୍ରେ ଅମିତାଭ ବଚ୍ଚନ ଆହତ, ଜାଣନ୍ତୁ କେଉଁଠି ଲାଗିଛି ଆଘାତ, ଏବେ ଅଛି କିଭଳି ଅବସ୍ଥା...
ହାଇଦ୍ରାବାଦ: ସୁଟିଂ ସେଟ୍ରେ ଆହତ ହୋଇଛି ବିଗ୍ ବି । ହାଇଦ୍ରାବାଦରେ ଫିଲ୍ମ 'ପ୍ରୋଜେକ୍ଟ-କେ'ର ସୁଟିଂ ସମୟରେ ଅମିତାଭ ବଚ୍ଚନଙ୍କ ଛାତିରେ ଆଘାତ ଲାଗିଛି । ଏନେଇ ବଚ୍ଚନ ତାଙ୍କ ବ୍ଲଗ ମାଧ୍ୟମରେ ସୂଚନା ଦେଇଛନ୍ତି ।
ରିପୋର୍ଟ ଅନୁଯାୟୀ, ଆକ୍ସନ ସୁଟ୍ ବେଳେ ବିଗ୍ ବି ଅମିତାଭଙ୍କ ଛାତି ପିଞ୍ଜରା ମାଡ଼ ହୋଇଯାଇଥିଲା । ଫଳରେ ଡାହାଣ ପଟ ମାଂସପେଶୀରେ ଆଘାତ ଲାଗିଥିଲା । ଏହି ଅଘଟଣ ପରେ ଫିଲ୍ମର ସୁଟିଂ ବାତିଲ କରାଯାଇଛି । ବିଗ୍ ବି ଆହତ ହେବା ପରେ ସୁୁଟିଂ ସେଟର ସଦସ୍ୟମାନେ ତାଙ୍କୁ ହାଇଦ୍ରାବାଦର ଏଆଇଜି ହସ୍ପିଟାଲକୁ ନେଇଥିଲେ । ଡାକ୍ତରଙ୍କ ସହିତ ପରାମର୍ଶ କରାଯାଇ ସେଠାରେ ସିଟି ସ୍କାନ କରାଯାଇଥିଲା । ଚିକିତ୍ସା ପରେ ସେ ଘରକୁ ଫେରିଛନ୍ତି ।
ଅମିତାଭ ବ୍ଲଗରେ ଲେଖିଛନ୍ତି, ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ ହେଉଛି । ଡାକ୍ତରଙ୍କ ପରାମର୍ଶ କ୍ରମେ ଏବେ ସେ ଘରେ ବିଶ୍ରାମ ନେବେ । ହେଲେ ମୋବାଇଲରେ ଉପଲବ୍ଧ ହେବେ । ଏଥିସହ ସେ କହିଛନ୍ତି ଯେ ସନ୍ଧ୍ୟାରେ ତାଙ୍କ ବାସଭବନ ଜଲସା ବାହାରେ ପ୍ରଶଂସକଙ୍କୁ ଦେଖାଦେବା କଷ୍ଟକର ହେବ । ତାଙ୍କ ବଙ୍ଗଳାକୁ ନ ଆସିବାକୁ ସେ ଅନୁରୋଧ କରିଛନ୍ତି । ସୂଚନାଯୋଗ୍ୟ, ପ୍ରତି ରବିବାର ପ୍ରଶଂସକମାନେ ଅମିତାଭ ବଚ୍ଚନଙ୍କୁ ଦେଖିବାକୁ ଜଲସା ବାହାରେ ଭିଡ କରିଥାନ୍ତି । ସୁପରଷ୍ଟାର ତାଙ୍କ ପ୍ରଶଂସକମାନଙ୍କୁ ଅଭିବାଦନ କରିଥାନ୍ତି ।
Powered by Froala Editor