ଆଜିଠୁ ବଜେଟ ଅଧିବେଶନ, ହଲଚଲ ହେବ ଗୃହ
ଭୁବନେଶ୍ୱର: ରାଜ୍ୟପାଳଙ୍କ ଅଭିଭାଷଣ ସହ ଆଜି ଠାରୁ ଆରମ୍ଭ ହେବ ଷୋଡ଼ଶ ବିଧାନସଭାର ଦ୍ୱାଦଶ ତଥା ବଜେଟ ଅଧିବେଶନ । ଅପରାହ୍ନ ୧୧ଟାବେଳେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଅଭିଭାଷଣ ରଖିବେ । ତା’ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହରେ ଦିବଂଗତ ମନ୍ତ୍ରୀ ନବକିଶୋର ଦାସଙ୍କ ସମେତ ଅନ୍ୟ ଦିବଂଗତ ମନ୍ତ୍ରୀ, ବିଧାୟକ ଓ ସହିଦ ଯବାନଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ କରିବେ ।
ତା’ପରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ଦେବା ପାଇଁ ସରକାରୀ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ଆଲୋଚନା ପ୍ରସ୍ତାବ ଆଗତ କରିବେ । ପରବର୍ତ୍ତୀ ଦୁଇଦିନ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଗୃହରେ ଆଲୋଚନା କରାଯିବ । ଆଲୋଚନା ବାତିଲ କରି ଦିବଂଗତ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରକଟ କରି ଗୃହ ମୁଲତବୀ ଘୋଷଣା ହୋଇପାରେ ।
ପରମ୍ପରା ଅନୁସାରେ ବିଧାନସଭାର ବଜେଟ ଅଧିବେଶନ ଦୁଇଟି ପର୍ୟ୍ୟାୟରେ ହେବ । ପ୍ରଥମ ପର୍ୟ୍ୟାୟ ଫେବ୍ରୁଆରୀ ୨୧ରୁ ମାର୍ଚ୍ଚ ପହିଲା ପର୍ୟ୍ୟନ୍ତ ଚାଲିବ । ଦ୍ୱିତୀୟ ଅଧିବେଶନ ମାର୍ଚ୍ଚ ୧୦ରୁ ଏପ୍ରିଲ ୬ ତାରିଖ ପର୍ୟ୍ୟନ୍ତ ରହିଛି । ଆସନ୍ତା ୨୪ ତାରିଖରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିବେ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ।ଆସନ୍ତା ବର୍ଷ ନିର୍ବାଚନ ବର୍ଷ । ତେଣୁ ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ଏହା ହେବ ଶେଷ ପୂର୍ଣ୍ଣାଙ୍ଗ ବଜେଟ । ତେଣୁ ଏହି ବଜେଟ ଉପରେ ସରକାର ଯେତିକି ଗୁରୁତ୍ୱ ଦେବେ, ବିରୋଧୀ ଦଳର ନଜର ମଧ୍ୟ ସେତିକି ରହିବ । ରାଜ୍ୟବାସୀ ମଧ୍ୟ ଏହି ବଜେଟର ବିଭିନ୍ନ ଦିଗ ଓ ପାଣ୍ଠି ବରାଦ ସମ୍ପର୍କରେ ଜାଣିବା ପାଇଁ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ।୨୪ ତାରିଖରେ ବଜେଟ ଆଗତ ହେବ ପରେ ଆସନ୍ତା ୨୭, ୨୮ ଓ ମାର୍ଚ୍ଚ ୧ ତାରିଖରେ ବଜେଟ ଉପରେ ସାଧାରଣ ଆଲୋଚନା କରାଯିବ । ମାର୍ଚ୍ଚ ୨ରୁ ୯ ତାରିଖ ପର୍ୟ୍ୟନ୍ତ ଛୁଟି ରହିବ । ମାର୍ଚ୍ଚ ୧୦ରୁ ଦ୍ୱିତୀୟ ପର୍ୟ୍ୟାୟ ଅଧିବେଶନ ଆରମ୍ଭ ହେବ । ମାର୍ଚ୍ଚ ୧୩ରୁ ୨୯ ପର୍ୟ୍ୟନ୍ତ ବିଭିନ୍ନ ବିଭାଗର ଖର୍ଚ୍ଚ ଦାବି ଉପରେ ଆଲୋଚନା କରାଯିବ । ମାର୍ଚ୍ଚ ୩୧ରେ ଆସିବ ବ୍ୟୟମଞ୍ଜୁରୀ ବିଲ୍ । ଏହି ଅଧିବେଶନରେ ୨୭ଟି କାର୍ୟ୍ୟ ଦିବସ ରହିଛି ।
Powered by Froala Editor