ଆଜି ବିଜେପିର ବିଧାୟକ ଦଳ ବୈଠକ

ଭୁବନେଶ୍ବର: ଆସନ୍ତା ୨୧ତାରିଖରୁ ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହେବ। ଏଥର ଅଧିବେଶନ ଯେପରି ସୁରୁଖୁରରେ ଚାଲିବ ସେଥିପାଇଁ ଆଜି(ସୋମବାର) ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ବସିବ। ହେଲେ ବିଧାନସଭାରେ କିପରି ବିରୋଧୀ ଶାସକ ଦଳକୁ ଘେରିବେ ଏବଂ ଶାସକ ଦଳ କିପରି ବିରୋଧୀଙ୍କୁ ମୁକାବିଲା କରିବ ସେନେଇ ରଣନୀତି ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି। ଏବେ ଠାରୁ ସ୍ପଷ୍ଟ ଜଣାପଡ଼ିଲାଣି ଯେ ଏଥରର ବଜେଟ୍ ଅଧିବେଶନ ଚଳାଇବା ବାଚସ୍ପତିଙ୍କ ପକ୍ଷେ ଏତେ ସହଜ ହେବନି।
ମିଳିଥିବା ସୂଚନା ଅନୁଯାୟୀ, ଆଜି ଅପରାହ୍ନରେ ବିଜେପିର ବିଧାୟକ ଦଳ ବୈଠକ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ବାସଭବନରେ ବସିବ। ଏଥିରେ ବିଧାନସଭାରେ ଶାସକ ଦଳକୁ ଘେରିବା ପାଇଁ ରଣନୀତି ପ୍ରସ୍ତୁତ ହେବ। ବିଶେଷ କରି ନବ ଦାସ ହତ୍ୟାକାଣ୍ଡକୁ ୨୦ଦିନ ବିତିଯାଇଥିଲେ ବି ହତ୍ୟାର କାରଣ କାହିଁକି ଜଣାପଡ଼ୁନି, ଏହା ପଛରେ କାହାର ଷଡ଼ଯନ୍ତ୍ର ଅଛି ତାହାକୁ ନେଇ ବିଜେପି ସରକାରଙ୍କ ଠାରୁ ଜବାବ୍ ମାଗିବ। ଦଳର ଜଣେ ନେତା କହିଛନ୍ତି ଯେ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ୟ୍ୟସ୍ତ ହୋଇପଡ଼ିଛି। ଏହାକୁ ନେଇ ଗତ କିଛି ଦିନ ହେଲା ବିଜେପି ରାଜରାସ୍ତାକୁ ଓହ୍ଲାଇଛି। ଗୃହରେ ଏହାକୁ ବି ପ୍ରସଙ୍ଗ କରିବ। ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ଆକ୍ରମଣ ପ୍ରତିବାଦରେ ବିଜେପି ବିଧାୟକମାନେ ବିଧାନସଭାରେ ହୋହଲ୍ଲା କରିବେ ବୋଲି ଜଣାପଡ଼ିଛି।
Powered by Froala Editor