ବିବିସି ଅଫିସ୍ରେ ରେଡ୍ : ସବୁ କର୍ମଚାରୀଙ୍କୁ ଫୋନ୍ ଥୋଇ ଘରକୁ ଯିବାକୁ କହିଲେ ଅଧିକାରୀ
ସୋମବାର ଆୟକର ବିଭାଗ (ଆଇଟି)ର ଅଧିକାରୀ ବିବିସି ଇଣ୍ଡିଆର ଦିଲ୍ଳୀ ଓ ମୁମ୍ବାଇରେ ଥିବା ଅଫିସ୍ରେ ସର୍ଭେ ଅପରେସନ ଆରମ୍ଭ କରିଛନ୍ତି। ସମସ୍ତ କର୍ମଚାରୀଙ୍କ ଫୋନ ଜବତ କରିବା ସହ ଅଫିସ ଛାଡ଼ି ଘରକୁ ଫେରି ଯିବାକୁ କୁହାଯାଇଛି। ତେବେ ଏହାକୁ ନେଇ କଂଗ୍ରେସ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି। କଂଗ୍ରେସ ଟ୍ବିଟ୍ରେ ଏକ ଭିଡିଓ ପୋଷ୍ଟ୍ କରିଛି। ଭିଡିଓରେ ଏଆଇସିସିର ସାଧାରଣ ସଂପାଦକ ଜୟରାମ ରମେଶ କହୁଥିବାର ନଜର ଆସିଛନ୍ତି କି, ‘ଆମେ ଏଠାରେ ଆଦାନୀ ମାମଲାରେ ଜେପିସିର ଦାବି କରୁଛି ସେଠାରେ ସରକାର ବିବିସି ପଛରେ ପଡ଼ିଛନ୍ତି। ବିନାଶ କାଳେ ବିପରୀତ ବୁଦ୍ଧି।’
କଂଗ୍ରେସ ଟ୍ୱିଟ୍ କରି କହିଛି, ପ୍ରଥମେ ବିବିସି ଡକ୍ୟୁମେଣ୍ଟାରୀ ଆସିଲା, ଏହାକୁ ବ୍ୟାନ୍ କରାଗଲା। ଏବେ ବିବିସି ଉପରେ ଆୟକର ଚଢ଼ାଉ ହେଲା। ଏହା ଅଘୋଷିତ ଜରୁରୀକାଳୀନ ପରିସ୍ଥିତି।
ସେପଟେ ଲଣ୍ଡନରେ ଥିବା ବିବିସି କାର୍ଯ୍ୟାଳୟକୁ ମଧ୍ୟ ଚଢାଉ ବାବଦରେ ସୂଚନା ଦିଆଯାଇଛି। ହେଲେ ଏର୍ଯ୍ୟନ୍ତ ଆୟକର ବିଭାଗ ପକ୍ଷରୁ ଏନେଇ କୌଣସି ସୂଚନା ଦିଆଯାଇନାହିଁ।
Powered by Froala Editor