ବେଙ୍ଗ ପୋଡ଼ା ଖାଇ ଶିଶୁ ମୃତ
କେନ୍ଦୁଝର, ବାମେବାରୀ ଥାନା ଗୁରୁଡ଼ା ଗ୍ରାମରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା। ବେଙ୍ଗ ଖାଇ ଜଣେ ଶିଶୁର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ଥିବା ଜଣାପଡ଼ିଛି। ମୃତକ ମୁନା ମୁଣ୍ଡା ଙ୍କ ଝିଅ ସୁମିତ୍ରା ମୁଣ୍ଡା (୬) ବୋଲି ଜଣାପଡ଼ିଛି।
ଗୁରୁବାର ରାତିରେ ମୁନା ମୁଣ୍ଡାଙ୍କ ଘର ଭିତରକୁ ଏକ ବେଙ୍ଗ ପଶି ଆସିଥିଲା। ମୁନା ତାକୁ ମାରି ନିଆଁରେ ପୋଡ଼ି ଦୁଇ ଝିଅଙ୍କ ସହିତ ଖାଇଥିଲେ। ଶୋଇଥିବା ବେଳେ ବିଳମ୍ବିତ ରାତିରେ ଦୁଇ ଝିଅ ବାନ୍ତି କରି ଅସୁସ୍ଥ ହୋଇ ପଡ଼ିବାରୁ ସକାଳେ ସେମାନଙ୍କୁ କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ଚିକିତ୍ସିତ ଅବସ୍ଥାରେ ଶୁକ୍ରବାର ରାତିରେ ସୁମିତ୍ରାଙ୍କ ମୃତ୍ୟୁ ହୋଇଥିଲା। ଖବର ପାଇ ବାମେବାରୀ ପୁଲିସ ଏ ସମ୍ବନ୍ଧୀୟ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହ ବ୍ୟବଚ୍ଛେଦ କରିଛି।
ଅନ୍ୟପକ୍ଷରେ ବେଙ୍ଗମାନେ ସାଧାରଣତଃ ବିଷାକ୍ତ ନୁହନ୍ତି। ଏଣୁ କେଉଁ କାରଣରୁ ମୃତ୍ୟୁ ହୋଇଛି ଯାଞ୍ଚ କରାଗଲେ ଜଣାପଡ଼ିବ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ମାନେ କହିଛନ୍ତି। ରିପୋର୍ଟ ଆସିବା ପରେ କାରଣ ଜଣାପଡ଼ିବ ବୋଲି ପୁଲିସ ପକ୍ଷରୁ କୁହା ଯାଇଛି।
Powered by Froala Editor