ସିରାଜ୍ଜୁଦ୍ଦିନ ଖଣିରେ ଆୟକର ଚଢଉ : ୪ଟି ସ୍ଥାନରେ ପହଞ୍ଚିଲେ ୪ ଟିମ୍
ବୁଧବାର ପୂର୍ବାହ୍ନରେ କେନ୍ଦ୍ରୀୟ ଆୟକର ବିଭାଗ ପକ୍ଷରୁ ଯୋଡା ଖଣି କ୍ଷେତ୍ରର ସିରାଜ୍ଜୁଦ୍ଦିନ କମ୍ପାନୀର କାର୍ଯ୍ୟାଳୟ ଗୁଡିକରେ ଚଢଉ କରାଯାଇଥିବା ସୁଚନା ମିଳିଛି । ୪ଟି ଦଳ ସିରାଜ୍ଜୁଦ୍ଦିନ କମ୍ପାନୀଙ୍କର କେନ୍ଦୁଝର ସହରସ୍ଥିତ କାର୍ଯ୍ୟାଳୟ, ଯୋଡା, ବଡବିଲ ଏବଂ କଲିକତା ସ୍ଥିତ କାର୍ପ୍ୟାଳୟ ଗୁଡିକରେ ଏକକାଳୀନ ଚଢଉ କରାଯାଇଥିବା ଜଣାପଡିଛି । ୪ଟି ଦଳ ୪ଟି ସ୍ଥାନରେ ଏହି ଚଢଉରେ ସାମିଲ ହୋଇଥିବା ବେଳେ ଦିନ ତମାମ ଏହି ଚଢଉ ଚାଲିଥିଲେ ମଧ୍ୟ କୌଣସି ସଠିକ୍ ତଥ୍ୟ ଅଦ୍ୟାବଧି ମିଳିପାରିନାହିଁ । ଏହି ଚଢଉ ଅତ୍ୟନ୍ତ ଗୋପନୀୟ ଭାବେ କରାଯାଉଥିବା ବେଳେ କୌଣସି ଗଣମାଧ୍ୟମ ପ୍ରତିନିଧିଙ୍କୁ ଭିତରକୁ ଛଡାଯାଇନାହିଁ ।
ସୂଚନା ଯୋଗ୍ୟ, ସିରାଜ୍ଜୁଦ୍ଦିନଙ୍କ ବଳଦାସ୍ଥିତ ବଳଦା ବ୍ଲକ ଲୌହ ଖଣିଟି ୩୩୫.୫୯୪ ହେକ୍ଟର ପରିମିତ ଥିବା ବେଳେ ଏଥିରେ ୨୧୦.୧୭ ନିୟୁତ ଟନ୍ ଉଚ୍ଚମାନର ଲୁହାପଥର ଗଚ୍ଛିତ ଥିବା ଜଣାପଡିଛି । ଗତ ୨୦୨୦ଏହି ଖଣିର ଲିଜ୍ ଅବଧି ସରିବା ପରେ ନୂତନ ନିଲାମ ପ୍ରକ୍ରିୟାରେ ପୁନଃର୍ବାର ସିରାଜ୍ଜୁଦ୍ଦିନ ଏହି ଖଣିଟିକୁ ପାଇବାରେ ସକ୍ଷମ ହୋଇଥିଲେ । ଏହି ନିଲାମ ପ୍ରକ୍ରିୟାରେ ମୋଟ ୧୩ଟି ବୃହତ୍ତ ଖଣି କମ୍ପାନୀ ଭାଗନେଇଥିବା ବେଳେ ଏଥି ମଧ୍ୟରୁ ୬ଟି ଖଣିକୁ ଟେକନିକାଲ ବିଡିଂ ପାଇଁ ଡକାଯାଇଥିଲେ । ଏହି ବହୁରାଷ୍ଟ୍ରୀୟ ଖଣି କମ୍ପାନୀ ମିତ୍ତଲ ଏବଂ ସିରାଜ୍ଜୁଦ୍ଦିନ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିଲା । ମିତ୍ତଲ ୧୧୮ ପ୍ରତିଶତ ପର୍ଯ୍ୟନ୍ତ ବଢିଥିବା ବେଳେ ସିରାଜ୍ଜୁଦ୍ଦିନ ଖଣି କମ୍ପାନୀ ୧୧୮.୫ ପ୍ରତିଶତରେ ଏହି ଖଣିଟିକୁ ହାତେଇପାରିଥିଲା । ତେବେ କମ୍ପାନୀ ଭିତରେ କେତେକ ଆଭ୍ୟାନ୍ତରଣିୟ ଦ୍ୱନ୍ଦ ପାଇଁ ଖଣିଟି ଦୀର୍ଘ ଦିନରୁ ବନ୍ଦ ରହିଛି ।
ତେବେ ସରକାରଙ୍କ ନିୟମ ଅନୁଯାୟୀ ଏହି କମ୍ପାନୀକୁ ପ୍ରାୟ ୮ହଜାର କୋଟି ଟଙ୍କାର ଜୋରିମାନା କରାଯାଇଥିବା ବିଶେଷ ସୂତ୍ରରୁ ଜଣାପଡିଛି । ଜୋରିମାନା ଅର୍ଥ ପୈଠନକରି ଏହି ଖଣି କମ୍ପାନୀ ନ୍ୟାୟାଳୟର ଆଶ୍ରୟ ନେଇଛି ।
Powered by Froala Editor